
ଝାରସୁଗୁଡ଼ା, ୩୧ ଅଗଷ୍ଟ (ହି.ସ.)- ଜିଲ୍ଲାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ ତଥା ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ମାସିକ ସମନ୍ୱୟ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ମାରାଣ୍ଡି, ଏସଡିଓ ସୁରେଶ ଚନ୍ଦ୍ର କିସାନ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଲେଙ୍କା, ଟିପିଡବ୍ଲୁଓଡିଏଲର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ବେହେରା, ପୂର୍ତ୍ତ ବିଭାଗର ଏସଡିଓ ବନମାଳୀ ନାଏକ ଏବଂ ଏଲ୍ ଆଣ୍ଡ ଟି କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଅଙ୍କ ମୁନେନ୍ଦ୍ର ଏମ୍. ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି ବୈଠକରେ ଜିଲ୍ଲାର ଗ୍ରାମାଞ୍ଚଳରେ ନିର୍ମାଣାଧୀନ ୧୭ ଗ୍ରାମ ପଞ୍ଚାୟତ ଏବଂ ୪୨ ଗ୍ରାମ ପଞ୍ଚାୟତ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଲୋକଙ୍କୁ ନିରବଚ୍ଛିନ୍ନ ଭାବେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏବଂ କ୍ଷତିଗ୍ରସ୍ତ ପାଇପ୍ଲାଇନ୍ଗୁଡ଼ିକର ତୁରନ୍ତ ମରାମତି କରିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ଆଲୋଚନା ଅନୁଯାୟୀ, ୧୭ ଜିପି ମେଗା ପ୍ରକଳ୍ପର କାର୍ଯ୍ୟ ଚଳିତ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୪୨ ଜିପି ମେଗା ପ୍ରକଳ୍ପକୁ ଆସନ୍ତା ନଭେମ୍ବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଡେଡଲାଇନ୍ ସ୍ଥିର କରାଯାଇଛି। କ୍ଷେତ୍ରସ୍ତରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଆରଡବ୍ଲ୍ୟୁଏସଏସ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ଏବଂ ଟାଟା ପାୱାର୍ ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ସମ୍ପୃକ୍ତ ବିଭାଗୀୟ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ