
ମୁଖୀଗୁଡା, ୩୧ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରୁ ନାଗୁପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଠିକାଦାର ଚୈତନ୍ୟ ବିଶୋଳଙ୍କୁ ନ୍ୟସ୍ତ କରାଯାଇଥିଲା। ସରକାରୀ ନିର୍ଦ୍ଦେଶାବଳୀ ଏବଂ ଚୁକ୍ତିନାମା ବ୍ୟବସ୍ଥା ଅନୁଯାୟୀ, ଠିକାଦାର ୨୨.୬.୨୦୨୩ ଠାରୁ ପରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ରକ୍ଷଣାବେକ୍ଷଣ କରିବା କଥା । ଏହି ଦାୟିତ୍ୱ ପୂରଣ ହେଉନାହିଁ। ରାସ୍ତାର ବର୍ତ୍ତମାନର ଅବସ୍ଥା ବଡ଼ ବିପଦ ସୃଷ୍ଟି କରୁଛି। ଜୟପାଟଣା ଠାରୁ ଖଇରମାଲ ପର୍ଯ୍ୟନ୍ତ ରାସ୍ତାରେ ଅନେକ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ କୌଣସି ଡ୍ରେନେଜ୍ ବ୍ୟବସ୍ଥା କରାଯାଇ ନାହିଁ। ଯାହା ଫଳରେ ପାଣି ଜମିବା ଏବଂ ପିଚୁର ଦ୍ରୁତ କ୍ଷୟ ହେଉଛି। ସମ୍ପୃକ୍ତ ଠିକାଦାରଙ୍କ ନିରନ୍ତର ଅବହେଳା ଯୋଗୁଁ, ରାସ୍ତାଟି ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି। ଏହି ଅବସ୍ଥା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି ।
ଏହି ରାସ୍ତାର ଆବଶ୍ୟକୀୟ ମରାମତି ଏବଂ ନିୟମିତ ରକ୍ଷଣାବେକ୍ଷଣ କରିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନେଜ୍ କାର୍ଯ୍ୟ କରାଯିବା ପାଇଁ ନବିନ ରାଉତ, ଗୋନିନ୍ଦ ମିଶ୍ର, ସୁଧାଂଶୁ ଶେଖର ପଣ୍ଡା, ଅନନ୍ତ କୁମାର ପଣ୍ଡା, ନୃସିଂହ ମିଶ୍ର, ବେଣୁଧର ମୁଣ୍ଡ ପ୍ରମୁଖ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |
ହିନ୍ଦୁସ୍ଥାନ ସମାଚାର / ନିହାର