


ଭୁବନ, ୩୧ ଅଗଷ୍ଟ (ହି.ସ.)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣରେ କହିଥିଲେ ଯେ, ସ୍ୱାୟତ୍ତ ଶାସନ କେବଳ ଏକ ପ୍ରଶାସନିକ ବ୍ୟବସ୍ଥା ନୁହେଁ, ଏହା ଜନସାଧାରଣଙ୍କ ସହଭାଗିତା, ଦାୟିତ୍ୱବୋଧ ଓ ବିକାଶର ଏକ ସୁଦୃଢ଼ ମାଧ୍ୟମ। ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରି ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ଆମ ଭୁବନକୁ ଆହୁରି ସ୍ୱଚ୍ଛ, ସୁନ୍ଦର ଓ ବିକଶିତ କରିବା ବୋଲି ଆହ୍ୱାନ ଦେଇଥିଲେ । ପରେ କାଳୀ ବଜାର ସ୍ଥିତ ସହିଦ ବୀର ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ସେବା, ସମର୍ପଣ ଓ ମାନବିକତାର ବାର୍ତ୍ତା ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ମାନିନୀ ସାହୁ, କାଉନସିଲର ଗିରିଧାରୀ ସାହୁ, ପପୁ କୁମାର ସାହୁ, କଳ୍ପନା ବେହେରାଙ୍କ ସମେତ ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମୀ ଓ ଗୋଷ୍ଠୀ ସଙ୍ଗଠିକା ଚିକୁମୀନା ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ତେବେ ସରକାରୀ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଜେପି କାଉନସିଲର ମାନେ ଅନୁପସ୍ଥିତ ରହିବା ଘଟଣାକୁ ବୁଦ୍ଧିଜୀବୀ ଓ ରାଜନୀତିଜ୍ଞ ମହଲ ନାପସନ୍ଦ କରିବା ସହ କେଉଁ ଅଦୃଶ୍ୟ ଶକ୍ତିର ଚାପ/ନିର୍ଦ୍ଦେଶରେ ଏଭଳି ହେଉଛି ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦତ ସାହୁଙ୍କ ମତାମତ ପାଇଁ ତାଙ୍କ ମୋବାଇଲକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫୋନ୍ ସୁଇଚ ଅଫ ଥିଲା ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ