
ପୁରୀ, ୩୧ ଅଗଷ୍ଟ (ହି.ସ.)- ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ ଅନୁଯାଇ ଆଜି ଅପରାହ୍ନ ୩ଟା ୩୦ ସମୟରେ ସରକାରୀ ମହିଳା ମହାବିଦ୍ୟାଳୟ, ପୁରୀ ଠାରେ ପୋଶ ଆକ୍ଟ ଏବଂ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି I ଆଜିର ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିନ୍ନ ବିଧି ବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟ।ଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କ'ଣ ଏବଂ ଆଇନ ସେବା ପାଇବା ପାଇଁ କେଉଁ କେଉଁମାନେ ଯୋଗ୍ୟ ଏବଂ ହିତାଧିକାରି ସେ ବିଷୟରେ ଆଲୋଚନା କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ବିଭିନ୍ନ ସରକାରୀ ଆଇନ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଆଇନ ସହାୟତା ଓକିଲ ସୁଧୀର କୁମାର ଘୋଷ କର୍ମକ୍ଷେତ୍ରରେ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପିଡନର ପ୍ରତିରୋଧ ଓ ପ୍ରତିକାର ଅଧିନିୟମ ସମ୍ପର୍କିତ ଆଲୋଚନା କରିଥିଲେ ଏବଂ ଏହା କିପରି ଜନସାଧାରଣଙ୍କୁ ସଚେତନ କରାଇବା ସେ ବିଷୟରେ ପରାମର୍ଶ ଦେଇଥିଲେ। ଡଃ. ସ୍ମିତା ସାହୁ, ଅଧ୍ୟକ୍ଷା, ସରକାରୀ ମହିଳା ମହାବିଦ୍ୟାଳୟ, ପୁରୀ ସମେତ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ