ପ୍ରଭାବିତ ଗ୍ରାମବାସୀଙ୍କୁ ଆରପିଡ଼ିଏସିରେ ପ୍ରତିନିଧିତ୍ଵ ଦାବି, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
Memorandum to Collector by villagers
ସ୍ମାରକ ପତ୍ର ଦେଉଥିବା ବେଳେ


ଝାରସୁଗୁଡ଼ା, ୩୧ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକର କାତିକେଲା, ଭୁର୍କାମୁଣ୍ଡା ଓ ଭାଗିପାଲି ଗ୍ରାମର ବାସିନ୍ଦାମାନେ ଆରପିଡ଼ିଏସି ସଦସ୍ୟ ଚୟନ ପ୍ରକ୍ରିୟାରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ସୋମବାର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଏକ ଘରୋଇ କମ୍ପାନୀର କାର୍ଯ୍ୟକଳାପ ଯୋଗୁଁ ଦୀର୍ଘଦିନ ଧରି ପ୍ରଭାବିତ ହୋଇଆସୁଥିବା ଗ୍ରାମଗୁଡ଼ିକର ପ୍ରତିନିଧିଙ୍କୁ ଆରପିଡ଼ିଏସି ସଦସ୍ୟ ଚୟନରେ ସୁଯୋଗ ଦିଆଯାଇନଥିବା ବେଳେ ଚୟନ ହୋଇଥିବା ଦୁଇ ଜଣ ସଦସ୍ୟ ପ୍ରଭାବିତ ଅଞ୍ଚଳର ନୁହନ୍ତି ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏହାସହ ସ୍ଥାନୀୟ ବିଧାୟକ ନିଜ ପସନ୍ଦର ବ୍ୟକ୍ତିଙ୍କୁ ଆରପିଡ଼ିଏସିରେ ସାମିଲ କରି ରାଜନୈତିକ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ମଧ୍ୟ ସ୍ମାରକପତ୍ରରେ କରାଯାଇଛି। ତେବେ ଗ୍ରାମବାସୀମାନେ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ବିରୋଧ କରୁନଥିବା ବେଳେ ଅଞ୍ଚଳର ବାସ୍ତବ ସମସ୍ୟା ସମ୍ପର୍କରେ ଅବଗତ ଏବଂ ଗ୍ରାମବାସୀଙ୍କ ବିଶ୍ୱାସଭାଜନ ବ୍ୟକ୍ତିଙ୍କୁ ଆରପିଡ଼ିଏସିରେ ପ୍ରତିନିଧିତ୍ୱ ଦେବାକୁ ଦାବି କରିଛନ୍ତି।

ସ୍ମାରକପତ୍ରରେ ଘୋଷିତ ସଦସ୍ୟ ତାଲିକାର ପୁନର୍ବିଚାର, ଭୁର୍କାମୁଣ୍ଡା, କାତିକେଲା, ଭାଗିପାଲି ସମେତ ଅନ୍ୟ ପ୍ରଭାବିତ ଗ୍ରାମର ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମବାସୀଙ୍କ ସହ ଖୋଲା ଆଲୋଚନା ପରେ ସଦସ୍ୟ ଚୟନ ଏବଂ ଆରପିଡ଼ିଏସି ଭଳି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବାକୁ ଦାବି କରାଯାଇଛି। ଦାବିଗୁଡ଼ିକ ଉପରେ ୭୨ ଘଣ୍ଟା ମଧ୍ୟରେ ପଦକ୍ଷେପ ନିଆଯାଇନଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବାକୁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଅନୁପସ୍ଥିତ ଥିବାରୁ ଗ୍ରାମବାସୀମାନେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ସ୍ମାରକପତ୍ର ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ଏବଂ ଅଭିଯୋଗ ଆଧାରରେ ଆବଶ୍ୟକ ତଦନ୍ତ କରାଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande