
ଇମ୍ଫାଲ, ୦୪ ଅଗଷ୍ଟ (ହି.ସ.)- ମଣିପୁରରେ ସୁରକ୍ଷା ବଳ ମଙ୍ଗଳବାର ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗ ଥାନା ଅଂଚଳସ୍ଥିତ ଲୋକତକ ହ୍ରଦର ସେନ୍ଦ୍ରା ହିଲ୍ ଅଂଚଳ ନିକଟରେ ଭାସୁଥିବା ଫୁମଦି (ଉଦ୍ଭିଦ ଦ୍ୱୀପ)ରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।
ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ .୩୨ ପିସ୍ତଲ, ଗୋଟିଏ ଏସବିବିଏଲ୍ ଗନ୍, ଗୋଟିଏ .୨୨ ବୋଲ୍ଟ-ଆକ୍ସନ୍ ରାଇଫଲ୍, ଗୋଟିଏ ଜେଫରସନ୍ ରାଇଫଲ୍, ସ୍ଥାନୀୟ ଭାବେ ନିର୍ମିତ ନଅଟି କାର୍ବାଇନ୍ (ସିଏମଜି), ସ୍ଥାନୀୟ ଭାବେ ନିର୍ମିତ ଦୁଇଟି ଏମପି-୫ ଅସ୍ତ୍ର, ସ୍ଥାନୀୟ ଭାବେ ନିର୍ମିତ ତିନୋଟି ଲାଥୋଡେ ଗନ୍, ଦୁଇଟି ପୋମ୍ପି ଗନ୍, ଛଅଟି ଆଇଇଡି ପ୍ୟାକେଟ୍ ଏବଂ ଅନ୍ୟାନ୍ୟ ସହାୟକ ସାମଗ୍ରୀ ରହିଛି। ଜବତ ସାମଗ୍ରୀକୁ ନିଜ କବଜାକୁ ନେଇ ସୁରକ୍ଷା ସଂସ୍ଥାମାନେ ମାମଲାର ତଦନ୍ତ କରୁଛନ୍ତି।
ଅନ୍ୟ ଏକ କାର୍ଯ୍ୟାନୁଷ୍ଠାନରେ ଏନଡିପିଏସ୍ ଅଧିନିୟମ ଅନୁସାରେ ସେନାପତି ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ପୋଲିସ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାର ଦିୟୁନ୍ ନିବାସୀ ୩୨ ବର୍ଷୀୟ ଦୀପ ଜ୍ୟୋତି ଗୋଗୋଇଙ୍କୁ ଗିରଫ କରିଛି। ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ସେନାପତି ଥାନାକୁ ଅଣାଯାଇଛି।
ଏହାଛଡ଼ା, ମଣିପୁର ପୋଲିସ ନିଷିଦ୍ଧ ଉଗ୍ରବାଦୀ ସଂଗଠନ କେସିପି (ଅପୁନବା)ର ସ୍ୱଘୋଷିତ ମେଜର ଅରମ୍ବାମ ବୋବୋ ସିଂହ (୪୨)ଙ୍କୁ କାକଚିଙ୍ଗ ଜିଲ୍ଲାର ୱାଙ୍ଗୁ ମାମେଇଚିଙ୍ଗସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି। ପୋଲିସ କହିଛି ଯେ ମାମଲାର ତଦନ୍ତ ଜାରି ରହିଛି।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ