
ନାଗାଓଁ (ଆସାମ), ୪ ଅଗଷ୍ଟ (ହି.ସ.)- ଆସାମର ନାଗାଓଁ ଜିଲ୍ଲାର କାତିମାରି ଠାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ)ର ୩୪ତମ ବାଟାଲିଅନ୍ କ୍ୟାମ୍ପରେ ମଙ୍ଗଳବାର ସକାଳେ ଘଟିଥିବା ଗୁଳିକାଣ୍ଡରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ଅଭିଯୁକ୍ତ ଏ.ଏସ୍.ଆଇ. ନିଜକୁ ମଧ୍ୟ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ବାସିନ୍ଦା ଏ. ଏସ୍. ଆଇ./ଜି. ଡି. ବଲ୍ଲାନୀ ପ୍ରେମବରମ ମୁଖ୍ୟ ଫାଟକରେ ଡ୍ୟୁଟିରେ ଥିଲେ । କର୍ତବ୍ୟରତ ଥିବା ସମୟରେ ନିଜର ନିର୍ଦ୍ଧାରିତ ସର୍ଭିସ୍ ଅସ୍ତ୍ର ତାଙ୍କ ପାଖରେ ନଥିଲା ଦେଖିବାକୁ ମିଳିଥିଲା । ଏହାପରେ ସେ ଶିବିରର ଗାର୍ଡ ରୁମ୍ ରୁ ଏକ ଇନସାସ୍ ରାଇଫଲ୍ ନେଇଥିଲେ ଏବଂ କ୍ୱାର୍ଟର୍ ଗାର୍ଡ ର ପଛ ଆଡ଼କୁ ଚାଲି ଯାଇଥିଲେ ବୋଲି ଅଭିଯୋଗ ହୋଇଛି ।
ପୋଲିସର କହିବା ଅନୁଯାୟୀ, ସେ ପ୍ରଥମେ ହେଡ୍ କନେଷ୍ଟବଳ (ଏଚବି/ଜିଡି) ବିଷ୍ଣୁ ପ୍ରସାଦ ବଘେଲଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁରୁତର ଆହତ ବଘେଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହାପରେ ସେ ଡକ୍ୟୁମେଂଟ ଯାଂଚ୍ ପାଇଁ ଶିବିରକୁ ଆସିଥିବା ଏସ୍.ଆଇ./ଜି. ଡି. ରାମନୱଲ ସିଂହ ଯାଦବଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହାଫଳରେ ତାଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ଏହାପରେ ଅଭିଯୁକ୍ତ ବି/୧୭୧ ବାଟାଲିୟନର ଏ. ଏସ୍. ଆଇ./ମାନ୍ ଗୋବିନ୍ଦ ଶ୍ରୀପୁଲଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲା, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଗୁଳିମାଡ଼ ପରେ ବଲ୍ଲାନୀ ପ୍ରେମବରମ ବି/୧୭୧ ବାଟାଲିୟନର ବ୍ୟାରେକ୍ କୁ ଯାଇଥିଲେ ଏବଂ ନିଜକୁ ଗୁଳି ମାରିଥିବା ଅଭିଯୋଗ ହୋଇଥିଲା । ତାଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ଆହତ ଏ. ଏସ୍. ଆଇ. ଗୋବିନ୍ଦ ଶ୍ରୀପୁଲଙ୍କୁ ତୁରନ୍ତ ଡିଉ କେୟାର ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଗୌହାଟୀ ପଠାଯାଇଥିଲା । ମୃତକଙ୍କ ମଧ୍ୟରେ ଉତରପ୍ରଦେଶର ବାସିନ୍ଦା ଏସ୍.ଆଇ./ଜି.ଡି. ରମଣୱାଲ ସିଂହ ଯାଦବ, ମଧ୍ୟପ୍ରଦେଶର ବାସିନ୍ଦା ହେଡ୍ କନଷ୍ଟେବଳ ବିଷ୍ଣୁ ପ୍ରସାଦ ବାଘେଲ ଏବଂ ଆନ୍ଧ୍ର ପ୍ରଦେଶର ବାସିନ୍ଦା ଏ.ଏସ୍.ଆଇ./ଜି.ଡି. ବଲ୍ଲାନୀ ପ୍ରେମବରମ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ