
ନୂଆଦିଲ୍ଲୀ, ୦୪ ଅଗଷ୍ଟ (ହି.ସ.)- ବିଦେଶ ମନ୍ତ୍ରାଳୟ କହିଛି ଯେ ଭାରତ ବାଙ୍ଗ୍ଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ୧୨-୧୩ ସେପ୍େଟମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀର ସମ୍ପର୍କ ଅଧିବେଶନ ପାଇଁ ବିମ୍ସଟେକର ବର୍ତମାନ ଅଧ୍ୟକ୍ଷ ଭାବେ ବିଶେଷ ନିମନ୍ତ୍ରଣ ଦେଇଛି। ଏହା ପୂର୍ବରୁ ଫେବୃଆରୀ ୨୦୨୬ରେ ସେ ପଦଭାର ଗ୍ରହଣ କରିବା ସମୟରେ ମଧ୍ୟ ତାଙ୍କୁ ଦ୍ୱିପକ୍ଷୀୟ ଗସ୍ତ ପାଇଁ ନିମନ୍ତ୍ରଣ ଦିଆଯାଇଥିଲା।
ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସୱାଲ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ବ୍ରିକ୍ସର ମାନକ ପ୍ରଥା ଅନୁଯାୟୀ ଆସିଆନ କିମ୍ବା ଅନ୍ୟାନ୍ୟ ଆଂଚଳିକ ଗୋଷ୍ଠୀର ପ୍ରମୁଖମାନଙ୍କୁ ସମ୍ପର୍କ କାର୍ଯ୍ୟକଳାପରେ ସାମିଲ କରାଯାଏ।
ପ୍ରବକ୍ତା କହିଥିଲେ, “ବାଙ୍ଗ୍ଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ଫେବୃଆରୀ ୨୦୨୬ରେ ପଦଭାର ଗ୍ରହଣ କରିବା ସମୟରେ ଭାରତ ଗସ୍ତ ପାଇଁ ଔପଚାରିକ ଦ୍ୱିପକ୍ଷୀୟ ନିମନ୍ତ୍ରଣ ଦିଆଯାଇଥିଲା। ଭାରତ ବିମ୍ସଟେକର ବର୍ତମାନ ଅଧ୍ୟକ୍ଷ ଭାବେ ବାଙ୍ଗ୍ଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀରେ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀର ସମ୍ପର୍କ ଅଧିବେଶନରେ ଯୋଗଦେବା ପାଇଁ ପୃଥକ ଭାବେ ନିମନ୍ତ୍ରଣ ଦେଇଛି। ବ୍ରିକ୍ସର ସମ୍ପର୍କ ଅଧିବେଶନ ପାଇଁ ଅନୁସରଣ କରାଯାଉଥିବା ମାନକ ପ୍ରଥା ଅନୁଯାୟୀ ଏହି ନିମନ୍ତ୍ରଣ ଦିଆଯାଇଛି। ଅନ୍ୟ ଆଂଚଳିକ ଗୋଷ୍ଠୀର ପ୍ରମୁଖମାନଙ୍କୁ ମଧ୍ୟ ଏହିପରି ଆମନ୍ତ୍ରଣ କରାଯାଇଛି।
ଉଲ୍ଲେଖନୀୟ ଯେ ବାଙ୍ଗ୍ଲାଦେଶ ପକ୍ଷରୁ ଏପର୍ଯ୍ୟନ୍ତ ଏହି ନିମନ୍ତ୍ରଣ ଗ୍ରହଣ କରାଯାଇନାହିଁ। ଚଳିତ ବର୍ଷ ଫେବୃଆରୀରେ ପଡ଼ୋଶୀ ଦେଶରେ କ୍ଷମତା ଗ୍ରହଣ କରିବା ପରେ ସେ ମାଲେସିଆ ଏବଂ ଚୀନ ଗସ୍ତ କରିସାରିଛନ୍ତି, କିନ୍ତୁ ଭାରତକୁ ଆସିନାହାନ୍ତି।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ