
ନୂଆଦିଲ୍ଲୀ, ୦୪ ଅଗଷ୍ଟ (ହି.ସ.)- ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଜୁନ୍ ମାସରେ ଅହମଦାବାଦରୁ ଗାନ୍ଧୀଧାମ ରେଳ ମାର୍ଗ (ଗୁଜରାଟ ଏଲଏସଏ) ଉପରେ ମୋବାଇଲ ନେଟୱର୍କ ଗୁଣବତାର ଯାଂଚରେ ଜିଓ ଏବଂ ଏୟାରଟେଲକୁ ଶୀର୍ଷସ୍ଥାନରେ ପାଇଛି।
ଟ୍ରାଇ କହିଛି ଯେ, ଏହି ପରୀକ୍ଷଣରେ କଭରେଜ୍, କଲ୍ ଡ୍ରପ୍ ହାର, କଲ୍ ସେଟଅପ୍ ସଫଳତା ହାର, ଡାଟା ଡାଉନଲୋଡ୍ ଏବଂ ଅପଲୋଡ୍ ଗତି ପରି ପ୍ରମୁଖ ମାନଦଣ୍ଡଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା। ପରୀକ୍ଷଣ ଜୁନ୍ ୩୦ ତାରିଖରେ ଅହମଦାବାଦରୁ ଗାନ୍ଧୀଧାମ ପର୍ଯ୍ୟନ୍ତ ପ୍ରାୟ ୩୦୦ କିଲୋମିଟର ମାର୍ଗରେ କରାଯାଇଥିଲା, ଯେଉଁଥିରେ ବିରମଗାମ ଜଙ୍କସନ, ଧ୍ରାଙ୍ଗଧ୍ରା ଜଙ୍କସନ, ହଲବଦ, ସାମାଖିୟାଲି ଜଙ୍କସନ ଏବଂ ଭଚାଉ ପରି ଷ୍ଟେସନଗୁଡ଼ିକ ସାମିଲ ଥିଲେ।
ରିପୋର୍ଟ ଅନୁସାରେ, କଭରେଜ୍ ଗ୍ୟାପ୍ ମାମଲାରେ ଏୟାରଟେଲର ୯୦୯, ବିଏସଏନଏଲର ୩୯୦୪, ଜିଓର ୩୬୧ ଏବଂ ଭୋଡାଫୋନ-ଆଇଡିଆର ୫୨୨ ନମୁନାରେ ଦୁର୍ବଳ ସିଗ୍ନାଲ ରେକର୍ଡ କରାଯାଇଥିଲା। କଲ୍ ଡ୍ରପ୍ ହାରରେ ଏୟାରଟେଲ, ଜିଓ ଏବଂ ଭୋଡାଫୋନ-ଆଇଡିଆରେ ଶୂନ୍ୟ କଲ୍ ଡ୍ରପ୍ ରେକର୍ଡ ହୋଇଥିବାବେଳେ, ବିଏସଏନଏଲରେ ୭ଟି କଲ୍ ଡ୍ରପ୍ ରେକର୍ଡ କରାଯାଇଥିଲା।
ଡାଟା ଡାଉନଲୋଡ୍ ଗତିରେ ଜିଓ ସବୁଠାରୁ ଆଗରେ ରହିଥିଲା, ଯାହାର ଔସତ ଗତି ୧୩୪.୭୩ ଏମବିପିଏସ ଥିଲା। ଏୟାରଟେଲର ଔସତ ଡାଉନଲୋଡ୍ ଗତି ୬୪.୪୭ ଏମବିପିଏସ, ଭୋଡାଫୋନ-ଆଇଡିଆର ୨୩.୪୪ ଏମବିପିଏସ ଏବଂ ବିଏସଏନଏଲର ୧୮.୫୨ ଏମବିପିଏସ ଥିଲା। ଅପଲୋଡ୍ ଗତିରେ ଜିଓ ୧୪.୯୩ ଏମବିପିଏସ, ଏୟାରଟେଲ ୧୩.୩୨ ଏମବିପିଏସ, ଭୋଡାଫୋନ-ଆଇଡିଆ ୧୧.୪୮ ଏମବିପିଏସ ଏବଂ ବିଏସଏନଏଲ ୭.୬୪ ଏମବିପିଏସ ରେକର୍ଡ କରିଥିଲା।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ