
ନୂଆଦିଲ୍ଲୀ, ୦୪ ଅଗଷ୍ଟ (ହି.ସ.)- ଇରାନ, ହର୍ମୁଜ୍ ଜଳସନ୍ଧି, ପାରସିକ ଉପସାଗର ଏବଂ ଆଖପାଖର ସମୁଦ୍ର ଅଂଚଳରେ ବଢ଼ୁଥିବା ସୁରକ୍ଷା ବିପଦ ମଧ୍ୟରେ କେନ୍ଦ୍ର ସରକାର ନାବିକ ପ୍ରଥମ' ପଦକ୍ଷେପ ଅଧୀନରେ ଏପର୍ଯ୍ୟନ୍ତ ଉପସାଗରୀୟ ଅଂଚଳରୁ ୩,୯୭୨ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶକୁ ଫେରାଇ ଆଣିଛନ୍ତି, ଯେତେବେଳେ ୬୦ଟି ଜାହାଜ ହର୍ମୁଜ୍ ଜଳସନ୍ଧି ଦେଇ ଭାରତ ପାଇଁ ମାଲ ବୋଝେଇ ସୁରକ୍ଷିତ ଭାବେ ଅତିକ୍ରମ କରିସାରିଛି। ଏହା ସହିତ ଜାହାଜ ଏବଂ ନାବିକମାନଙ୍କର ରିଅଲ୍-ଟାଇମ୍ ଟ୍ରାକିଂ ଓ ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଛି।
କେନ୍ଦ୍ରୀୟ ବନ୍ଦର, ଜାହାଜ ପରିବହନ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଙ୍ଗଳବାର ରାଜ୍ୟସଭାରେ ଏକ ଲିଖିତ ଉତରରେ କହିଛନ୍ତି ଯେ, ସମୁଦ୍ର ପ୍ରଶାସନ ମହାନିର୍ଦ୍ଦେଶାଳୟ (ଡିଜିଏମଏ) ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ନାବିକ ପ୍ରଥମ' ଅଭିଯାନ କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ, ଡିଜି କମ୍ୟୁନିକେସନ୍ ସେଂଟର ମାଧ୍ୟମରେ ନିରନ୍ତର ନିରୀକ୍ଷଣ, ପ୍ରତି ୨୪ ଘଂଟାରେ ପରିସ୍ଥିତି ରିପୋର୍ଟ ଜାରି କରିବା ଏବଂ ଜାହାଜ ଓ ଭାରତୀୟ ନାବିକମାନଙ୍କର ବାସ୍ତବ ସମୟରେ ଟ୍ରାକିଂ ବ୍ୟବସ୍ଥା କରାଯାଇଛି।
ସୋନୋୱାଲ କହିଛନ୍ତି ଯେ, ୨୪ ଘଂଟା ଚାଲୁଥିବା ନିୟନ୍ତ୍ରଣ କକ୍ଷ ଏପର୍ଯ୍ୟନ୍ତ ନାବିକମାନେ, ସେମାନଙ୍କ ପରିବାର ସଦସ୍ୟ ଏବଂ ସମୁଦ୍ର କ୍ଷେତ୍ର ସହ ଜଡିତ ହିତାଧିକାରୀମାନଙ୍କର ୧୫,୭୭୧ଟି ଟେଲିଫୋନ୍ କଲ୍ ଏବଂ ୩୬,୪୯୯ଟି ଇ-ମେଲ୍ର ସମାଧାନ କରିସାରିଛି। ଆବଶ୍ୟକ ପଡ଼ିଲେ ନାବିକମାନଙ୍କ ପରିବାର ସହ ନିରନ୍ତର ସମ୍ପର୍କ ରଖାଯାଏ ଏବଂ ପରାମର୍ଶ ସେବା ମଧ୍ୟ ଉପଲବ୍ଧ କରାଯାଏ। କୌଣସି ନାବିକଙ୍କ ମୃତ୍ୟୁ ଘଟିଲେ ସିଫେୟାରର୍ସ ୱେଲଫେୟାର ଫଣ୍ଡ ସୋସାଇଟି ମାଧ୍ୟମରେ ତୁରନ୍ତ ୧୦ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଦେବାର ବ୍ୟବସ୍ଥା ମଧ୍ୟ ରହିଛି।
ସେ କହିଛନ୍ତି ଯେ, ଜାନୁଆରୀରୁ ଜୁଲାଇ ମଧ୍ୟରେ ଅନେକ ପରାମର୍ଶ ଜାରି କରାଯାଇଥିଲା। ଏଥିରେ ଭାରତୀୟ ନାବିକମାନଙ୍କୁ ଇରାନ ପଠାଇବା ଉପରେ ରୋକ, ହର୍ମୁଜ୍ ଜଳସନ୍ଧି ଦେଇ ଯାଉଥିବା ଜାହାଜମାନଙ୍କ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା, ଜାହାଜ-ତଟ ସୁରକ୍ଷା ଅଭ୍ୟାସ, ବିପଦ ମୂଲ୍ୟାଙ୍କନ, ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ସୂଚନା ଦେବା ଏବଂ ସୁରକ୍ଷା ପରିସ୍ଥିତି ଅବନତି ହେଲେ ସଂଘର୍ଷ ପ୍ରଭାବିତ ଅଂଚଳରେ ଭାରତୀୟ ନାବିକମାନଙ୍କୁ ନିଯୁକ୍ତି ନ ଦେବା ଭଳି ନିର୍ଦ୍ଦେଶ ସାମିଲ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ