
ଗୌହାଟୀ, ଅଗଷ୍ଟ 6 (ହି.ସ)। ଉପର ଆସାମର ଚାରୋଟି ଜିଲ୍ଲା, ମୁଖ୍ୟତଃ ଶିବସାଗର, ଚରାଇଦେଓ, ଜୋରହାଟ ଏବଂ ଗୋଲାଘାଟ ଆସାମର ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଯଦିଓ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇଛି, ତଥାପି ଲୋକଙ୍କ ଘର ଏବଂ ରାସ୍ତାରେ ପାଣି ଏବଂ କାଦୁଅ ପଡ଼ି ରହିଛି। କିଛି ଦିନ ପୂର୍ବରୁ, ବନ୍ୟା ପ୍ରଭାବ 5ଟି ଜିଲ୍ଲାରେ ସୀମିତ ଥିଲା। ବର୍ତ୍ତମାନ ବନ୍ୟା 14ଟି ଜିଲ୍ଲାକୁ ପ୍ରାଭବିତ କରିଛି।
ଅଗଷ୍ଟ 5 ରେ ପ୍ରକାଶିତ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ, ଧନସିରି ନଦୀ (ନୁମାଲିଗଡ଼) ଏହି ଅଞ୍ଚଳରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଇତି ମଧ୍ୟରେ ବୁଧବାର ଶିବସାଗର ଜିଲ୍ଲାରେ 2ଟି, ଗୋଲାଘାଟ ଜିଲ୍ଲାରେ 1ଟି ଏବଂ ବିଶ୍ୱନାଥ ଜିଲ୍ଲାରେ 2ଟି ମୃତଦେହ ଉଦ୍ଧାର କରାଯାଇଛି। ଏହାଦ୍ୱାରା ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା 94ରେ ପହଞ୍ଚିଛି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ଗୋଲାଘାଟ, ଲଖିମପୁର, ଚରାଇଦେଓ, ଶିବସାଗର, ବିଶ୍ୱନାଥ, ଧେମାଜୀ, କାମରୂପ (ମେଟ୍ରୋ), ଜୋରହାଟ, ସୋନିତପୁର, ତିନସୁକିଆ, ନାଗାଓଁ, ଦାରଙ୍ଗ, କାର୍ବି ଆଙ୍ଗଲୋଙ୍ଗ ଏବଂ ଉଦଲଗୁରୀ ଅନ୍ତର୍ଭୁକ୍ତ। 14ଟି ଜିଲ୍ଲାର 38ଟି ରାଜସ୍ୱ ସର୍କଲର ମୋଟ 563ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ 160653 ଜଣ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ହେକ୍ଟର ହେକ୍ଟର କୃଷିଜମି ଜଳମଗ୍ନ ହୋଇ ରହିଛି।
ଉଦ୍ଧାର କାର୍ଯ୍ୟରେ ଏସ୍. ଡି. ଆର୍. ଏଫ୍., ସେନା/ପାରାମିଲିଟାରୀ, ଏନ୍. ଡି. ଆର୍. ଏଫ୍., ଡି. ଡି. ଆର୍. ଏଫ୍., ବାୟୁସେନା, ପୋଲିସ୍, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା (ଏଫ୍. ଆଣ୍ଡ. ଇ. ଏସ୍.), ସର୍କଲ ଅଫିସ୍/ସ୍ଥାନୀୟ ପ୍ରଶାସନ, ବେସାମରିକ ପ୍ରତିରକ୍ଷା/ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଏବଂ ଅଗ୍ନିଶମ ବିଭାଗ ନିୟୋଜିତ ଅଛନ୍ତି। ବନ୍ୟାରେ ରାସ୍ତା, ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବ୍ୟାପକ କ୍ଷତି ହୋଇଛି। ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ଜେ. ପି. ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଡଃ. ହେମନ୍ତ ବିଶ୍ୱ ଶର୍ମା ଆସାମର ସର୍ବାଧିକ କ୍ଷତିଗ୍ରସ୍ତ ଶିବସାଗର ଏବଂ ଚରାଇଦେଓ ଜିଲ୍ଲା ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସେ ପ୍ରଭାବିତମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ। ନାଗାଲାଣ୍ଡର ବନ୍ୟା ପ୍ରଭାବିତ ମୋନ ଜିଲ୍ଲା ମଧ୍ୟ ଗସ୍ତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ନଡ୍ଡ ଆସାମ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶକୁ ତିନି ଦିନିଆ ଗସ୍ତରେ ଯାଇ ଅଗଷ୍ଟ 4 ତାରିଖରେ ଦିବ୍ରୁଗଡ଼ରେ ପହଞ୍ଚିଥିଲେ।
--------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ