
ଇମ୍ଫାଲ, ଅଗଷ୍ଟ ୬ (ହି.ସ.) - ଇମ୍ଫାଲ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ଆସିଥିବା ୧୫ ଜଣଙ୍କୁ (୬ ଜଣ ମହିଳା ଏବଂ ୯ ଜଣ ପୁରୁଷ) ମଣିପୁର ପୋଲିସ ଅଟକ ରଖିଛି। ଡିଇଏସଏଏମରୁ ମିଳିଥିବା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଗୁରୁବାର ଦିନ ସରକାରୀ ସୂତ୍ରରୁ ପ୍ରକାଶ ଯେ ପୋଲିସ୍ ଯାତ୍ରୀମାନଙ୍କ ୭୯ଟି ଲଗେଜ୍ ଯାଂଚ କରିଥିଲା ଏବଂ ମୋଟ ୫୧୯ ବୋତଲ ଭାରତୀୟ ନିର୍ମିତ ବିଦେଶୀ ମଦ (ଆଇଏମଏଫଏଲ) ଉଦ୍ଧାର କରିଥିଲା। ଜବତ ହୋଇଥିବା ମଦ ମଧ୍ୟରେ ଜ୍ୟାକ୍ ଡାନିଏଲ୍, ଜେମ୍ସନ୍, ଜନି ୱାକ,ର୍ ଗ୍ଲେନ୍ଲିଭେଟ୍, ଗ୍ଲେନ୍ଫିଡିକ୍, ଗ୍ଲେନ୍ମୋରାଙ୍ଗି, ମଙ୍କି ଶୋର୍ଲଡ଼, ସ୍ମର୍ନୋଫ୍, ଅବସୋଲୁଟ୍ ଭୋଡ୍କା, ଜ୍ୟାକବ୍ସ କ୍ରୀକ୍ ୱାଇନ୍, ବ୍ଲୁ ଲେବଲ୍, ବ୍ଲାକ୍ ଲେବଲ୍ ସମେତ ଅନେକ ପ୍ରିମିୟମ୍ ବ୍ରାଣ୍ଡ ଅନ୍ତର୍ଭୁକ୍ତ ।
ସମସ୍ତ ଅଟକ ବ୍ୟକ୍ତି ଏବଂ ଜବତ ମଦକୁ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସିଙ୍ଗଜାମାଇ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଛି। ପୋଲିସ କହିଛି ଯେ ଏହି ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତ ଶେଷ ହେବା ପରେ ଜବତ ହୋଇଥିବା ମଦ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯିବ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ