
ବିଶ୍କେକ୍, ୦୧ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ)ର ଶିଖର ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଏବଂ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇ କହିଛନ୍ତି ଯେ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଣ, ନିଯୁକ୍ତି, ଉଗ୍ରବାଦ ଏବଂ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀର ସମଗ୍ର ଇକୋସିଷ୍ଟମକୁ ଧ୍ୱଂସ କରିବାକୁ ପଡ଼ିବ। ସେ କହିଥିଲେ ଯେ ଆତଙ୍କବାଦ ପ୍ରସଙ୍ଗରେ ଦୋହରା ମାପଦଂଡର କୌଣସି ସ୍ଥାନ ହୋଇପାରିବ ନାହିଁ ଏବଂ ଆତଙ୍କବାଦକୁ ନିଜ ନୀତିର ଏକ ଉପକରଣ ଭାବେ ଗ୍ରହଣ କରୁଥିବା ଦେଶଗୁଡ଼ିକୁ ଏକ ସ୍ପଷ୍ଟ ବାର୍ତା ପଠାଯିବା ଉଚିତ ଯେ ଆତଙ୍କବାଦ କାହା ପାଇଁ ଏକ ରଣନୈତିକ ସମ୍ପଦ ହୋଇପାରିବ ନାହିଁ।
ଏସ୍ସିଓର ୨୫ ବର୍ଷ ପୂର୍ତି ଅବସରରେ ଆୟୋଜିତ ୨୬ତମ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୨୫ ବର୍ଷ ମଧ୍ୟରେ ଏହି ସଂଗଠନ ୟୁରେସିଆର ବିଶାଳ ଭୂଭାଗରେ ଆଲୋଚନା ଏବଂ ସହଯୋଗର ଏକ ଦୃଢ଼ ପରମ୍ପରା ବିକଶିତ କରିଛି ଏବଂ ମାନବତାର ବିକାଶ ତଥା ଏହାର ଲୋକମାନଙ୍କ କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ସହଯୋଗକୁ ବାସ୍ତବ ପରିଣାମରେ ପରିଣତ କରିବା ଏବେ ଏସ୍.ସି.ଓ.ର ଲକ୍ଷ୍ୟ ହେବା ଉଚିତ।
ସେ କହିଥିଲେ ଯେ ଏଭଳି ଏକ ସମୟରେ ଯେତେବେଳେ ବିଶ୍ୱ ଅନିଶ୍ଚିତତା ଏବଂ ଅସ୍ଥିରତାର ସମୟ ଦେଇ ଗତି କରୁଛି, ଅଂଶୀଦାର ଭୂଗୋଳକୁ ସହଭାଗୀ ସୁଯୋଗରେ ପରିଣତ କରିବା ଏବଂ ଲୋକମାନଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି। ଏସ୍ସିଓ ସନ୍ଦର୍ଭରେ ଭାରତର ଚିନ୍ତାଧାରାର ତିନୋଟି ସ୍ତମ୍ଭ-ସୁରକ୍ଷା, ସଂଯୋଗ ଏବଂ ସୁଯୋଗ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ତିନୋଟି ସ୍ତମ୍ଭକୁ ଦୂରଦୃଷ୍ଟିରୁ ଦୃଢ଼ ଫଳାଫଳକୁ ପରିବର୍ତିତ କରିବାର ସମୟ ଆସିଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦିଗରେ ଶାନ୍ତି ଏବଂ ସୁରକ୍ଷା ହେଉଛି ପ୍ରଥମ ଆବଶ୍ୟକତା। ଆତଙ୍କବାଦ ଆଜି ସମଗ୍ର ମାନବଜାତି ପାଇଁ ଏକ ଗୁରୁତର ଆହ୍ୱାନ ସୃଷ୍ଟି କରିଛି। ଏହା ବିରୋଧରେ ଲଢ଼େଇ କେବଳ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରତିକ୍ରିୟା ମଧ୍ୟରେ ସୀମିତ ରହିପାରିବ ନାହିଁ। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ, ନିଯୁକ୍ତି, ଉଗ୍ରବାଦ ଏବଂ ନିରାପଦ ଆଶ୍ରୟସ୍ଥଳୀର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ପଡ଼ିବ। ଯେଉଁ ଦେଶଗୁଡ଼ିକ ଆତଙ୍କବାଦକୁ ନିଜ ନୀତିର ଏକ ଉପକରଣ ଭାବେ ଗ୍ରହଣ କରନ୍ତି ଏବଂ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଓ ସମର୍ଥନ ପ୍ରଦାନ କରନ୍ତି, ସେମାନଙ୍କୁ ଏକ ଦୃଢ଼ ବାର୍ତା ପଠାଯିବା ଉଚିତ।
ଏକ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ୟୁରେସିଆ ପାଇଁ ମିଳିତ ଆକାଂକ୍ଷା ଆଫଗାନିସ୍ତାନରେ ଶାନ୍ତି ଏବଂ ସ୍ଥିରତା ସହିତ ମଧ୍ୟ ଜଡିତ ବୋଲି ମୋଦୀ କହିଛନ୍ତି। ଆଫଗାନିସ୍ତାନର ଜନସାଧାରଣଙ୍କ ବିକାଶ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ଭାରତ ନିଜର ଯୋଗଦାନ ଜାରି ରଖିଛି ଏବଂ ଆଗକୁ ମଧ୍ୟ ଜାରି ରଖିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି