
କାଠମାଣ୍ଡୁ, ସେପ୍ଟେମ୍ବର 2 (ହି.ସ)। ନେପାଳର ଭୟଙ୍କର ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସହାୟତା କରିବା ପାଇଁ ଭାରତରୁ ଉଦ୍ଧାର ସହାୟତାର ପଞ୍ଚମ ମାଲ କାଠମାଣ୍ଡୁରେ ପହଞ୍ଚିଛି।
କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭାରତ ଦ୍ୱାରା ପଠାଯାଇଥିବା ରିଲିଫ ସାମଗ୍ରୀ ଭାରତୀୟ ଦୂତାବାସର ଜଣେ ପ୍ରତିନିଧିଙ୍କ ଦ୍ୱାରା ନେପାଳ ସରକାରଙ୍କ ଜଣେ ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ବୁଧବାର ସକାଳେ ସୂଚନା ଦେଇଛନ୍ତି ଯେ ଭାରତରୁ ସହାୟତାର ପଞ୍ଚମ ମାଲ ବିମାନ ଯୋଗେ ନେପାଳ ଅଭିମୁଖେ ଯାତ୍ରା କରିଛି।
ସ୍ୱତନ୍ତ୍ର ସନ୍ଧାନ ଏବଂ ଉଦ୍ଧାର ଉପକରଣ ଏବଂ ଟନ୍ ଟନ୍ ଅତ୍ୟାବଶ୍ୟକ ଔଷଧ ସହିତ ସଜ୍ଜିତ ଏକ 11 ଜଣିଆ ଉଦ୍ଧାରକାରୀ ଦଳ ବିମାନରେ ପଠାଯାଇଛି ବୋଲି ସେ କହିଛନ୍ତି। ଏହି ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ଖୋଜାଖୋଜି ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବ। ମାତ୍ର ଦୁଇ ଦିନ ପୂର୍ବରୁ ଭାରତ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ 11 ଟନ୍ ରିଲିଫ ସାମଗ୍ରୀ ଏବଂ ବୈଷୟିକ ଦଳ ସହିତ ନେପାଳକୁ ଚତୁର୍ଥ ବିମାନ ପଠାଇଥିଲା।
ବର୍ତ୍ତମାନ ନେପାଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି ରହିଛି। ଭାରତ ସମେତ ବିଭିନ୍ନ ଦେଶ ଏବଂ ଆନ୍ତର୍ଜାତୀୟ ସଂଗଠନ ଦ୍ୱାରା ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ସହାୟତା ମଧ୍ୟ ପ୍ରଦାନ କରାଯାଉଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା