
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.) ଜୁନିୟର ଏସିଆ କପ୍ ହକିରେ କ୍ରମାଗତ ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଥିବା ଭାରତୀୟ ଜୁନିୟର ମହିଳା ହକି ଦଳକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ଫାଇନାଲ୍ ମ୍ୟାଚ୍ରେ ଭାରତ ଚୀନ୍କୁ ୧-୦ ଗୋଲ୍ରେ ପରାସ୍ତ କରି ଏହି ଗୌରବମୟ ସଫଳତା ହାସଲ କରିଛି। ଭାରତୀୟ ଦଳର ଏହି ଉଲ୍ଲେଖନୀୟ ବିଜୟ ତାଙ୍କ ପ୍ରତିଭା, ଦୃଢ଼ ସଂକଳ୍ପ ଓ ଲଢ଼ୁଆ ମନୋଭାବର ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୋସିଆଲ୍ ମିଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଦଳର ଏହି ସଫଳତା ସମଗ୍ର ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଏହା ନାରୀଶକ୍ତିର ସାମର୍ଥ୍ୟର ଏକ ଶକ୍ତିଶାଳୀ ପ୍ରମାଣ ମଧ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।
ଦଳର ବିଜୟ ଦେଶର ଝିଅମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା, ପ୍ରତିବନ୍ଧକତାକୁ ଅତିକ୍ରମ କରିବା ଏବଂ ଜୀବନରେ ନୂଆ ଉଚ୍ଚତା ହାସଲ କରିବା ପାଇଁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଭାରତୀୟ ଜୁନିୟର ମହିଳା ହକି ଦଳ ଆଗାମୀ ଦିନରେ ମଧ୍ୟ ଦେଶ ପାଇଁ ଅଧିକ ଗୌରବ ଆଣିବ ବୋଲି ସେ ଶୁଭେଚ୍ଛା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ