ଭାରତୀୟ ଜ୍ଞାନ ପରମ୍ପରା ଉପରେ ବିଶେଷ ବ୍ୟାଖ୍ୟାନ‘ଜ୍ଞାନର ପରମ୍ପରା ଓ ବିକାଶର ନୂଆ ଦିଗ’ ଉପରେ ଆଲୋଚନା
ବଲାଙ୍ଗିର 3 ସେପ୍ଟେମ୍ବର (ହି.ସ.) ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଆଇକେଏସ୍ (Indian Knowledge System) କେନ୍ଦ୍ର ପକ୍ଷରୁ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଚାଲିଥିବା ବିଶେଷ ବ୍ୟାଖ୍ୟାନମାଳାର ଏକ ବିଶେଷ ଅଧିବେଶନ ଶନିବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। “Indian Knowled
ଭାରତୀୟ ଜ୍ଞାନ ପରମ୍ପରା ଉପରେ ବିଶେଷ ବ୍ୟାଖ୍ୟାନ‘ଜ୍ଞାନର ପରମ୍ପରା ଓ ବିକାଶର ନୂଆ ଦିଗ’ ଉପରେ ଆଲୋଚନା


ବଲାଙ୍ଗିର 3 ସେପ୍ଟେମ୍ବର (ହି.ସ.)

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଆଇକେଏସ୍ (Indian Knowledge System) କେନ୍ଦ୍ର ପକ୍ଷରୁ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଚାଲିଥିବା ବିଶେଷ ବ୍ୟାଖ୍ୟାନମାଳାର ଏକ ବିଶେଷ ଅଧିବେଶନ ଶନିବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। “Indian Knowledge Pathways, Social Science Research and Development Studies: Towards a New Yoga, Tantra, and Kundalini of Development” ଶୀର୍ଷକ ବିଷୟକୁ ନେଇ ଆୟୋଜିତ ଏହି ବ୍ୟାଖ୍ୟାନରେ ଭାରତୀୟ ଜ୍ଞାନ ପରମ୍ପରା, ସାମାଜିକ ବିଜ୍ଞାନ ଗବେଷଣା ଓ ବିକାଶ ଅଧ୍ୟୟନର ଆନ୍ତଃସମ୍ପର୍କ ଉପରେ ଗଭୀର ଆଲୋଚନା ହୋଇଥିଲା।

କାର୍ଯ୍ୟବ୍ୟସ୍ତତା କାରଣରୁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବାରୁ ତାଙ୍କ ପ୍ରତିନିଧି ଭାବେ ବିଶ୍ୱବିଦ୍ୟାଳୟର CPGC ପ୍ରଫେସର ପ୍ରତାପ କୁମାର ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ୱକ୍ସେନ୍ ୟୁନିଭର୍ସିଟି, କାମକୋଲେ, ହାଇଦ୍ରାବାଦର ଭାଇସ୍ ଡିନ୍ ପ୍ରଫେସର ଅନନ୍ତ କୁମାର ଗିରି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ଜ୍ଞାନ ପରମ୍ପରାର ବିଭିନ୍ନ ଜ୍ଞାନପଥ ଓ ଏହାର ସମସାମୟିକ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ବିଶେଷକରି ସାମାଜିକ ବିଜ୍ଞାନ ଗବେଷଣା ଓ ବିକାଶ ଅଧ୍ୟୟନରେ ଭାରତୀୟ ଜ୍ଞାନ ପରମ୍ପରାର ଅବଦାନ ଏବଂ ଏହାକୁ ଆଧୁନିକ ବିକାଶ ଚିନ୍ତନ ସହିତ ଯୋଡ଼ିବାର ସମ୍ଭାବନା ସମ୍ପର୍କରେ ସେ ବିସ୍ତୃତ ଭାବେ ବୁଝାଇଥିଲେ।

ଭାରତୀୟ ଜ୍ଞାନ ପରମ୍ପରା କେବଳ ପ୍ରାଚୀନ ଜ୍ଞାନର ସଂରକ୍ଷଣ ନୁହେଁ, ବରଂ ସମାଜ, ମଣିଷ ଓ ବିକାଶକୁ ଦେଖିବାର ଏକ ସ୍ୱତନ୍ତ୍ର ଦୃଷ୍ଟିକୋଣ ବୋଲି ବକ୍ତା ମତବ୍ୟକ୍ତ କରିଥିଲେ। ଯୋଗ, ତନ୍ତ୍ର ଓ କୁଣ୍ଡଳିନୀ ଭଳି ଭାରତୀୟ ଚିନ୍ତନ ପରମ୍ପରାର ଧାରଣାଗୁଡ଼ିକୁ ବିକାଶର ବ୍ୟାପକ ଧାରଣା ସହିତ ସମ୍ପର୍କିତ କରି ସେ ଏହାର ନୂତନ ବ୍ୟାଖ୍ୟାର ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରିଥିଲେ।

ଅଧ୍ୟକ୍ଷୀୟ ଅଭିଭାଷଣରେ ପ୍ରଫେସର ପ୍ରତାପ କୁମାର ଦାଶ ଭାରତୀୟ ଜ୍ଞାନ ପରମ୍ପରାର ଗୁରୁତ୍ୱ ଉପରେ ମତ ରଖିବା ସହ ବର୍ତ୍ତମାନର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଭାରତୀୟ ଜ୍ଞାନଧାରାର ପୁନଃଅଧ୍ୟୟନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଆଇକେଏସ୍ କେନ୍ଦ୍ରର ସଂଯୋଜକ ଡ. ବଂଶୀଧର ଦୀପ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଡ. ସୀମା ରାଣୀ ରଥ ସଭା ପରିଚାଳନା କରିଥିଲେ। ଆୟୋଜନ କମିଟିର ସଦସ୍ୟ ଡ. ବ୍ରିଜେଶ ଚନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିବାବେଳେ ଶୁଭଲକ୍ଷ୍ମୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆଇକେଏସ୍ କେନ୍ଦ୍ର ପକ୍ଷରୁ ଭାରତୀୟ ଜ୍ଞାନ ପରମ୍ପରାକୁ ନେଇ ଏଭଳି ବ୍ୟାଖ୍ୟାନମାଳାର ଆୟୋଜନ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ମଧ୍ୟରେ ଭାରତୀୟ ଜ୍ଞାନଧାରା ସମ୍ପର୍କରେ ନୂତନ ଚିନ୍ତନ ଓ ଗବେଷଣାର ପରିବେଶ ସୃଷ୍ଟି କରିବାରେ ସହାୟକ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande