
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ୍) ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଶାଳ ରକ୍ତଦାନ ଶିବିର ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଭୂମିପୂଜନ କରାଯାଇଛି। ଏଥିସହ ଶିବିରର ପ୍ରସ୍ତୁତି ସମ୍ପର୍କରେ ତଦାରଖ କରାଯାଇଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରକ୍ତଦାନ ଭଳି ମହତ୍ ସେବା କାର୍ଯ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ପାଳନ ପାଇଁ ବିଜେୱାଇଏମ୍ ପକ୍ଷରୁ ଏହି ବିଶାଳ ଶିବିରର ଆୟୋଜନ କରାଯାଉଛି।
ଏହି ଅବସରରେ ବିହାରର ପଶ୍ଚିମ ଚମ୍ପାରଣ ଲୋକସଭା ସାଂସଦ, ଲୋକସଭାରେ ବିଜେପିର ମୁଖ୍ୟ ସଚେତକ ତଥା ‘ସେବା ସଂକଳ୍ପ ଅଭିଯାନ’ର ଓଡ଼ିଶା ପ୍ରଭାରୀ ସଞ୍ଜୟ ଜୟସୱାଲ, ମନ୍ତ୍ରୀ ଡ. କେ. ସି. ମହାପାତ୍ର, ବିଧାୟକ ଇରାସିସ ଆଚାର୍ଯ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଏବଂ ବିଜେୱାଇଏମ୍ ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ସେପ୍ଟେମ୍ବର ୧୭ରେ ହେବାକୁ ଥିବା ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ନେତାମାନେ ଆଲୋଚନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ