
- ପଞ୍ଜାବ ଏବଂ ୟୁଏଇ ମଧ୍ୟରେ ଯାତ୍ରୀମାନଙ୍କୁ ମିଳିବ ସିଧାସଳଖ ସଂଯୋଗ
ଅମୃତସର, ୧୪ ସେପ୍େଟମ୍ବର (ହି.ସ.)- ଏୟାର ଇଣ୍ଡିଆ ଏକ୍ସପ୍ରେସ ୨୯ ଅକ୍ଟୋବରରୁ ଅମୃତସର ଏବଂ ଆବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ନୂଆ ସେବା ଦ୍ୱାରା ପଞ୍ଜାବରୁ ସଂଯୁକ୍ତ ଆରବ ଏମିରେଟ୍ସ ଯାଉଥିବା ଯାତ୍ରୀ, ବିଶେଷକରି ଶ୍ରମିକ, ପରିବାର ଏବଂ ବ୍ୟବସାୟିକ ଯାତ୍ରୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
ଏହି ବିମାନ ସପ୍ତାହରେ ତିନି ଦିନ ଗୁରୁବାର, ଶନିବାର ଏବଂ ରବିବାର ଚାଲିବ। ଅମୃତସରରୁ ବିମାନ ରାତି ୮:୪୦ ବେଳେ ଛାଡ଼ି ସେହି ଦିନ ରାତି ୧୧:୫୦ ବେଳେ ଆବୁଧାବିରେ ପହଂଚିବ। ଫେରତ ବିମାନ ଆବୁଧାବିରୁ ଶୁକ୍ରବାର, ରବିବାର ଏବଂ ସୋମବାର ରାତି ୧୨:୫୫ ବେଳେ ଛାଡ଼ି ସକାଳ ୬:୧୫ ବେଳେ ଅମୃତସରରେ ପହଂଚିବ। ଅମୃତସରରୁ ଆବୁଧାବି ପର୍ଯ୍ୟନ୍ତ ବିମାନ ଯାତ୍ରାର ସମୟ ପ୍ରାୟ ୪ ଘଂଟା ୪୦ ମିନିଟ, ଯେତେବେଳେ କି ଫେରତ ଯାତ୍ରାରେ ପ୍ରାୟ ୩ ଘଂଟା ୫୦ ମିନିଟ ଲାଗିବ।
ଫ୍ଲାଇ ଅମୃତସର ଇନିଶିଏଟିଭର ଗ୍ଲୋବାଲ କନ୍ଭିନର ସମୀପ ସିଂହ ଗୁମଟାଲା କହିଛନ୍ତି ଯେ ନୂଆ ସିଧାସଳଖ ସେବା ଦ୍ୱାରା ସେହି ଯାତ୍ରୀମାନେ ବିଶେଷ ଲାଭ ପାଇବେ, ଯେଉଁମାନଙ୍କୁ ଏବେ ଆବୁଧାବି ପହଂଚିବା ପାଇଁ ଦିଲ୍ଲୀରୁ ବିମାନ ନେବାକୁ ପଡ଼ୁଛି କିମ୍ବା ଅମୃତସରରୁ ଦୁବାଇ ଅଥବା ଶାରଜାହ ଯାଇ ଆଗକୁ ସଡ଼କ ପଥରେ ଯାତ୍ରା କରିବାକୁ ପଡ଼ୁଛି। ସିଧାସଳଖ ବିମାନ ଦ୍ୱାରା ସମୟ ଏବଂ ଯାତ୍ରା ଖର୍ଚ୍ଚ ଉଭୟ କମିପାରେ।
ଫ୍ଲାଇ ଅମୃତସର ଇନିଶିଏଟିଭର କନ୍ଭିନର ଯୋଗେଶ କାମରା କହିଛନ୍ତି ଯେ ଆବୁଧାବି ସେବା ଆରମ୍ଭ ହେବା ଦ୍ୱାରା ଅମୃତସରର ଅନ୍ତର୍ଜାତୀୟ ସଂଯୋଗ ଆହୁରି ମଜବୁତ ହେବ। ସେ ଦାବି କରିଛନ୍ତି ଯେ ନୂଆ ବିମାନ ଯୋଡ଼ିବା ପରେ ଦୁବାଇ, ଶାରଜାହ ଏବଂ ଆବୁଧାବି ପାଇଁ ଅମୃତସରରୁ ସାପ୍ତାହିକ ବିମାନ ସଂଖ୍ୟା ପ୍ରାୟ ୩୧ ପର୍ଯ୍ୟନ୍ତ ପହଂଚପାରେ, ଯଦିଓ ଏହା ଏୟାରଲାଇନ୍ସର ସୂଚୀରେ ପରିବର୍ତନ ଉପରେ ନିର୍ଭର କରିବ। ସେ ଏୟାରଲାଇନ୍ସଗୁଡ଼ିକୁ ମସ୍କଟ ଏବଂ କୁଏତ ଭଳି ଉପସାଗରୀୟ ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକ ପାଇଁ ମଧ୍ୟ ଅମୃତସରରୁ ସିଧାସଳଖ ବିମାନ ଆରମ୍ଭ କରିବାକୁ ଦାବି କରିଛନ୍ତି।
--------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ