
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୧୭ ତାରିଖ ଦିନ ଜନସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ କରିବେ। ଏନେଇ ତାଙ୍କ ଜନ୍ମଦିବସ ଆସନ୍ତା ୧୭ ସେପ୍େଟମ୍ବରରୁ ଆରମ୍ଭ ହୋଇ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ “ସେବା ସଂକଳ୍ପ ଅଭିଯାନ” ପାଳନ କରାଯିବ । ମୋଦିଜୀ ନିରନ୍ତର ଭାବେ ଗତ ୨୫ ବର୍ଷ ଧରି ଯେଉଁଭଳି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଭାବେ ସୁଶାସନ ଦେଇଛନ୍ତି, ତାହା କୌଣସି ଛୋଟିଆ ଅବଧି ନୁହେଁ। ସେଥିରୁ ପ୍ରେରଣା ନେଇ ଓଡ଼ିଶାରେ ‘ସେବା ସଂକଳ୍ପ ଅଭିଯାନ’କୁ ଏକ ବୃହତ୍ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ବିଜେପି ସମବାୟ ପ୍ରକୋଷ୍ଠ ପ୍ରମୁଖ ଭୂମିକା ଗ୍ରହଣ କରୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମବାୟବିତ୍ ମାନଙ୍କୁ ଆହ୍ୱାନ ଦେଇଛନ୍ତି।
ମୋଦିଜୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ରୀୟ ସମବାୟମନ୍ତ୍ରୀ ଶ୍ରୀ ଅମିତ୍ ଶାହଙ୍କ ସଫଳ ଦିଗ୍ଦର୍ଶନରେ ସମବାୟ କ୍ଷେତ୍ରରେ ଆଜି ଏକ ନୂଆ ଉତ୍ସାହ ଓ ଊଦ୍ଦିପନା ତଥା ବୈପ୍ଲବିକ ପରିବର୍ତନ ଆସିଛି ବୋଲି “ସେବା ସଂକଳ୍ପ ଅଭିଯାନ” ଉପଲକ୍ଷେ ବିଜେପି ସମବାୟ ପ୍ରକୋଷ୍ଠ ତରଫରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ଓଡ଼ିଶା ବିଜେପି ପ୍ରକୋଷ୍ଠ ସମୂହର ରାଜ୍ୟ ସହ ପ୍ରଭାରୀ ଶ୍ରୀ ସୁଦୀପ୍ତ ରାୟ କହିଛନ୍ତି ଯେ, ମୋଦିଜୀଙ୍କ ଲମ୍ବା ସମୟର ଜନକଲ୍ୟାଣକାରୀ ନୀତି, ଓଡିଶା ପ୍ରତି ତାଙ୍କ ଭଲ ପାଇବା ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ତାଙ୍କର ଆବେଗପୂର୍ଣ୍ଣ ଭକ୍ତି ପାଇଁ ତାଙ୍କ ଜନ୍ମଦିନରେ କୃତଜ୍ଞତା ଜ୍ଞାପନ କରିବା ପାଇଁ ୧୩ ଗୋଟି ପ୍ରମୁଖ ସେବା ଦାୟିତ୍ୱ ଦଳ ତରଫରୁ ନିଆଯାଇଛି। ତାହାକୁ ନିଷ୍ଠାର ସହ ଜିଲ୍ଲା ଓ ମଣ୍ଡଳସ୍ତରର କର୍ମକର୍ତାମାନେ ପାଳନ କରିବା ପାଇଁ ଶ୍ରୀ ରାୟ କହିଥିଲେ।
ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି ଯେ, ଆସନ୍ତା ୧୭ ତାରିଖ ଦିନ ବିଜେପି ସମବାୟ ପ୍ରକୋଷ୍ଠ ତରଫରୁ ଓଡ଼ିଶାର ୧୮ଗୋଟି ଶୀର୍ଷ ସମବାୟ ସଂସ୍ଥା ଓ ୧୭ଗୋଟି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ତଥା ଗ୍ରାମାଂଚଳର ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପ୍ସର ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ସ୍ଥାନୀୟ ସମବାୟବିତ୍ ଓ ଚାଷୀମାନଙ୍କୁ ନେଇ ଆଶୀର୍ବାଦର ଦୀପ ପ୍ରଜ୍ୱଳନ କରାଯିବ। ସେହିିପରି ସେବା ସଂକଳ୍ପର ବାର୍ତାକୁ ତଳସ୍ତରରେ ପହଁଚାଇବା ପାଇଁ ‘ପରିବର୍ତନର କାହାଣୀ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଲାଭାର୍ଥୀମାନଙ୍କ ଘରକୁ ଘର ଯାଇ ଭିଡିଓ ବାର୍ତା ଜରିଆରେ ହିତାଧିକାରୀମାନଙ୍କ ଅଭିଜ୍ଞତାକୁ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ସମବାୟ ପ୍ରକୋଷ୍ଠ କାର୍ଯ୍ୟ କରିବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଅଶୋକ ମିଶ୍ର, ପୂର୍ବତନ ସମବାୟ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ପୂର୍ବତନ ସମବାୟ ନିବନ୍ଧକ ସୁଦର୍ଶନ ନାୟକ, ପୂର୍ବତନ ସାଂସଦ ମୁକ୍ତିକାନ୍ତ ମଣ୍ଡଳ, ପବିତ୍ର ମୋହନ ଦାସ, ଅକ୍ଷୟ କୁମାର ମହାନ୍ତି, ସ୍ତମ୍ଭକାର ପ୍ରତାପ ସାମଲ, ଇଂ. ଅଜୟ ସାହୁ ଓ ବନ୍ଦନା ଦାସଙ୍କ ସମେତ ପ୍ରମୁଖ ସମବାୟ ପ୍ରେମୀ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା