
ଝାରସୁଗୁଡ଼ା, ୧୪ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ସରକାରୀ କ୍ୱାର୍ଟର ଆବଣ୍ଟନ ବ୍ୟବସ୍ଥାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କ୍ୱାର୍ଟର ଅଭାବରୁ ଜିଲ୍ଲାରେ କାର୍ଯ୍ୟରତ ଅନେକ ଅଧିକାରୀ ଓ କର୍ମଚାରୀ ଭଡ଼ା ଘରେ ରହୁଥିବା ବେଳେ କେତେକ ଅବସରପ୍ରାପ୍ତ ଅଧିକାରୀ ଅବସର ପରେ ମଧ୍ୟ ସରକାରୀ ଆବାସ ଦଖଲରେ ରଖିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଝାରସୁଗୁଡ଼ାରେ ଦୀର୍ଘବର୍ଷ ଧରି ରାଜସ୍ୱ ବିଭାଗରେ କାର୍ଯ୍ୟରତ ଥିବା ଜଣେ ଅଧିକାରୀ ଅବସର ଗ୍ରହଣ କରିବାର ପ୍ରାୟ ତିନି ମାସ ପରେ ମଧ୍ୟ ଏକ ସରକାରୀ କ୍ୱାର୍ଟର ଖାଲି କରିନଥିବା ଅଭିଯୋଗ ରହିଛି। ଏହି କ୍ୱାର୍ଟରକୁ କେତେକ ଜମି ଦଲାଲଙ୍କ ଯାତାୟାତ ଓ ସମାଗମସ୍ଥଳ ଭାବେ ବ୍ୟବହାର କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗର ସ୍ୱତନ୍ତ୍ର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଅନ୍ୟପକ୍ଷରେ, ରାଜସ୍ୱ ବିଭାଗ ଅଧୀନରେ ଥିବା କେତେକ ସରକାରୀ କ୍ୱାର୍ଟର ଅଣକର୍ମଚାରୀଙ୍କ ଦଖଲରେ ଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଫଳରେ ସରକାରୀ ଆବାସ ପାଇବାକୁ ଯୋଗ୍ୟ ଥିବା କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ କ୍ୱାର୍ଟର ନପାଇ ବାହାରେ ଭଡ଼ା ଘରେ ରହୁଥିବା କୁହାଯାଉଛି। ଏହାଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ଜଣେ ଅବସରପ୍ରାପ୍ତ ଅଧିକାରୀ ସରକାରୀ କ୍ୱାର୍ଟରରେ ରହିବା ସହ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ଅଭିଯୋଗ। ସରକାରୀ ଆବାସ ଦଖଲରେ ରହି ଘରୋଇ ସଂସ୍ଥାରେ ମୋଟା ଅଙ୍କର ଦରମାରେ କାର୍ଯ୍ୟ କରିବା ଘଟଣାକୁ ନେଇ ସରକାରୀ ଅଧିକାରୀ ଓ କର୍ମଚାରୀ ମହଲରେ ଚର୍ଚ୍ଚା ଜୋର ଧରିଛି।
ସରକାରୀ କ୍ୱାର୍ଟର ଆବଣ୍ଟନ ଏବଂ ଅବସର ପରେ ଆବାସ ଖାଲି କରିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ରହିଛି। ଏପରିସ୍ଥଳେ ନିୟମ ଅନୁଯାୟୀ ସମୟସୀମା ମଧ୍ୟରେ କ୍ୱାର୍ଟର ଖାଲି ନହେବା ଘଟଣାକୁ ନେଇ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି। କାର୍ଯ୍ୟରତ କର୍ମଚାରୀ କ୍ୱାର୍ଟର ଅଭାବରୁ ବାହାରେ ଭଡ଼ା ଘରେ ରହୁଥିବା ବେଳେ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଦଖଲରେ ସରକାରୀ ଆବାସ ରହିବା ଆବାସ ଆବଣ୍ଟନ ବ୍ୟବସ୍ଥାର ସ୍ୱଚ୍ଛତା ନେଇ ସନ୍ଦେହ ସୃଷ୍ଟି କରିଛି। ତେବେ ଜିଲ୍ଲା ପ୍ରଶାସନ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛି ଏବଂ ସରକାରୀ କ୍ୱାର୍ଟରଗୁଡ଼ିକୁ ପ୍ରକୃତ ହକଦାରଙ୍କୁ ଆବଣ୍ଟନ କରାଯାଉଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ