
ଭୁବନେଶ୍ୱର,୧୪ ସେପ୍ଟେମ୍ବର(ହି.ସ) - ପୂର୍ବତଟ ରେଳପଥ ମୁଖ୍ୟାଳୟରେ ୧୪ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ହିନ୍ଦୀ ପଖୱାଡା–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହିତ ଆରମ୍ଭ ହୋଇଛି। ସରକାରୀ କାର୍ଯ୍ୟରେ ହିନ୍ଦୀର ପ୍ରଗତିଶୀଳ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହିତ ରାଜଭାଷା ହିନ୍ଦୀର ଗୁରୁତ୍ୱ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ପକ୍ଷବ୍ୟାପୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଜଭାଷା ଶପଥ ପାଠ କରାଇଥିଲେ। ନିଜ ଅଭିଭାଷଣରେ ସେ ୧୪ ସେପ୍େଟମ୍ବର ୧୯୪୯ରେ ଭାରତୀୟ ସମ୍ବିଧାନରେ ହିନ୍ଦୀକୁ ରାଜଭାଷାର ମର୍ଯ୍ୟାଦା ପ୍ରଦାନ କରାଯାଇଥିବାର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେଇଥିଲେ। ସେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ କରିଥିଲେ।
ଶ୍ରୀ ଫୁଙ୍କୱାଲ କହିଥିଲେ ଯେ, ହିନ୍ଦୀର ବ୍ୟବହାର କେବଳ ଗୋଟିଏ ଦିନ କିମ୍ବା ପଖୱାଡା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ସରକାରୀ କାର୍ଯ୍ୟରେ ନିୟମିତ ଭାବେ ହିନ୍ଦୀର ବ୍ୟବହାର ବୃଦ୍ଧି କରିବା ଆବଶ୍ୟକ।
ଏହି ପାଳନର ଏକ ଅଂଶ ସ୍ୱରୂପ, ବିଭିନ୍ନ ପ୍ରତିଯୋଗିତା ଏବଂ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯେଉଁଥିରେ ରେଳ ସୁରକ୍ଷା ସ୍ଲୋଗାନ ଲିଖନ ପ୍ରତିଯୋଗିତା, ଯାତ୍ରୀ ଅଭିଯୋଗ ନିରାକରଣ ଚିଠା ପ୍ରସ୍ତୁତି ପ୍ରତିଯୋଗିତା, ହିନ୍ଦୀ ବନାନ ଓ ବାକ୍ୟ ସଂଶୋଧନ ପ୍ରତିଯୋଗିତା, ରେଳ ସମ୍ବନ୍ଧୀୟ ଶବ୍ଦ ସନ୍ଧାନ ଓ ସଙ୍କେତ ଚିହ୍ନଟ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା ଏବଂ ହିନ୍ଦୀ କର୍ମଶାଳା ଅନ୍ତର୍ଭୁକ୍ତ। ଏହି ସବୁ କାର୍ଯ୍ୟକଳାପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଧିକାରୀମାନଙ୍କୁ ସେମାନଙ୍କ କାର୍ଯ୍ୟାଳୟ କାମରେ ଧୀରେ ଧୀରେ ହିନ୍ଦୀ ଭାଷା ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବା।
ସରକାରୀ କାର୍ଯ୍ୟରେ ରାଜଭାଷାର ବ୍ୟାପକ ବ୍ୟବହାରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଭାରତ ସରକାରଙ୍କ ନୀତି ଅନୁଯାୟୀ ପ୍ରତିବର୍ଷ ସମଗ୍ର ଭାରତୀୟ ରେଳବାଇରେ ହିନ୍ଦୀ ପଖୱାଡା ପାଳନ କରାଯାଏ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା