ନିଖୋଜ ଆଇଟିଆଇ ଛାତ୍ରଙ୍କ ଗଳିତ ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ, ଦୁଇ ଯୁବକ ଅଟକ
Missing youths dead body found
ନିଖୋଜ ଆଇଟିଆଇ ଛାତ୍ରଙ୍କ ଗଳିତ ଶବ ଉଦ୍ଧାର


ଝାରସୁଗୁଡ଼ା, ୧୪ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଧୀନ ସିରିଆପାଲି ଗ୍ରାମରେ ଗତ ୧୦ ତାରିଖରୁ ନିଖୋଜ ଥିବା ଜଣେ ଆଇଟିଆଇ ଛାତ୍ରଙ୍କ ଗଳିତ ଶବ ଜାତୀୟ ରାଜପଥ ନମ୍ବର ୪୯ କଡ଼ରେ ଥିବା ଏକ ନାଳ ନିକଟରୁ ଉଦ୍ଧାର ହୋଇଛି। ମୃତକ ହେଲେ ସିରିଆପାଲି ଗ୍ରାମର ମଧୁବନ ସୁନାନୀଙ୍କ ପୁଅ ଦେବେନ୍ଦ୍ର ସୁନାନୀ (୧୯)। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦେବେନ୍ଦ୍ରଙ୍କୁ ହତ୍ୟା କରି ଶବ ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ସନ୍ଧ୍ୟାରେ ଦେବେନ୍ଦ୍ରଙ୍କୁ ଜଣେ ସାଙ୍ଗ ଘରୁ ଡାକି ନେଇଥିଲେ। ହେଲେ ସେ ରାତିରେ ଘରକୁ ଫେରିନଥିଲେ। ପରଦିନ ସକାଳ ପର୍ଯ୍ୟନ୍ତ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ କୋଲାବିରା ଥାନାରେ ନିଖୋଜ ଏତଲା ଦେଇଥିଲେ। ଏହାପରେ ଦେବେନ୍ଦ୍ରଙ୍କ ମା’ ସରସ୍ୱତୀ ସୁନାନୀ ଗତ ୧୨ ତାରିଖରେ ଝାରସୁଗୁଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ରଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ, ମନିଷ ସୋହେଲା ନାମକ ଜଣେ ଯୁବକ ନିଜ ଭଉଣୀଙ୍କ ଜନ୍ମଦିନ ପାଳନ ପାଇଁ ଗତ ୧୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଦେବେନ୍ଦ୍ରଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ଦେବେନ୍ଦ୍ର ଆଉ ଘରକୁ ଫେରିନଥିଲେ। ଅଭିଯୋଗ ପାଇବା ପରେ ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଚାଲିଥିବା ସମୟରେ ଦେବେନ୍ଦ୍ରଙ୍କ ମୃତଦେହ ନାଳ କୂଳରେ ପଡ଼ିଥିବା ନେଇ ପୋଲିସ ସୂଚନା ପାଇଥିଲା। ଖବର ପାଇ ଝାରସୁଗୁଡ଼ା ଏସ୍ଡିପିଓ ଉମାଶଙ୍କର ସିଂ ଓ କୋଲାବିରା ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ ପ୍ରଧାନ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝାରସୁଗୁଡ଼ାରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିଥିଲା। ମୃତଦେହଟି ସମ୍ପୂର୍ଣ୍ଣ ଭାବେ ପଚିଯାଇଥିବାରୁ ଘଟଣାସ୍ଥଳରେ ପରିଚୟ ନିର୍ଣ୍ଣୟ କରିବା କଷ୍ଟକର ହୋଇଥିଲା। ପୋଲିସ ତଦନ୍ତ ପରେ ଶବର ପୋଷ୍ଟମର୍ଟମ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷରେ, ସିରିଆପାଲି ନିକଟସ୍ଥ କୁମୁଡ଼ାପାଲି ଅଞ୍ଚଳରେ ବିଦ୍ୟୁତ୍ ତାର ଚୋରି କରିବାକୁ ଯାଇ ଦେବେନ୍ଦ୍ର ଆକସ୍ମିକ ଭାବେ ବିଦ୍ୟୁତ୍ ଖୁମ୍ବରୁ ଖସିପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଏବଂ ତାଙ୍କ ସହ ଥିବା ଯୁବକମାନେ ଭୟରେ ମୃତଦେହକୁ ନିକଟସ୍ଥ ନାଳ କୂଳରେ ଫିଙ୍ଗି ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାକୁ ପରିବାର ଲୋକେ ଗ୍ରହଣ କରିନାହାନ୍ତି। ଦେବେନ୍ଦ୍ରଙ୍କୁ ହତ୍ୟା କରାଯାଇ ଯୋଜନାବଦ୍ଧ ଭାବେ ଶବ ଫିଙ୍ଗି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଘଟଣାର ପ୍ରକୃତ କାରଣ କ’ଣ ଏବଂ ଦେବେନ୍ଦ୍ରଙ୍କ ମୃତ୍ୟୁ କିପରି ହେଲା, ସେନେଇ ପୋଲିସର ତଦନ୍ତ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande