
ଝାରସୁଗୁଡ଼ା, ୧୪ ସେପ୍ଟେମ୍ବର (ହି.ସ.)- ସରବାହାଲସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସୋମବାର ମହାଆଡ଼ମ୍ବରରେ ଶ୍ରୀ ଗଜାନନଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ପୂଜାରେ ପୂଜକ ଭାବେ ତରୁଣ ମିଶ୍ର ଏବଂ କର୍ତ୍ତା ଭାବେ ସମର ପାତ୍ର ଦାୟିତ୍ୱ ତୁଲାଇଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପୂଜାରେ ଯୋଗଦେଇ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପ୍ରସାଦ ସେବନ କରିଥିଲେ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ତିହାର ଓ ଏହାର ପରମ୍ପରା ସମ୍ପର୍କରେ ଶିଶୁମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଏକ ନିଆରା ‘ନୂଆଖାଇ ହାଟ’ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ପୋଷାକ ପରିଧାନ କରି ହାଟରେ ବିଭିନ୍ନ ସାମଗ୍ରୀର ଦୋକାନ ଖୋଲିଥିଲେ। ରାସନ ସାମଗ୍ରୀ, ଖଲିଦନା, ନୂଆ ଧାନ ଓ ଚାଉଳ, ପନିପରିବା, ଲୁଗାପଟା, ଫୁଲ, ଫଳ ଏବଂ ପୂଜା ସାମଗ୍ରୀ ଆଦି ବିକ୍ରି ପାଇଁ ରଖାଯାଇଥିଲା। ଛାତ୍ରଛାତ୍ରୀମାନେ ଗ୍ରାହକଙ୍କୁ ସୁଲଭ ଦରରେ ସାମଗ୍ରୀ ମିଳୁଥିବା ନେଇ ଡାକି ଆକୃଷ୍ଟ କରୁଥିବା ବେଳେ ଅଭିଭାବକ ଓ ଅନ୍ୟ ଗ୍ରାହକମାନେ ସାମଗ୍ରୀ କିଣି ଏହି ଅଭିନବ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ। ଏହା ମାଧ୍ୟମରେ ଶିଶୁମାନେ ନୂଆଖାଇ ପରମ୍ପରା ସହିତ ହାଟ ବ୍ୟବସ୍ଥା, କ୍ରୟବିକ୍ରୟ ଓ ସାମାଜିକ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଅନୁଭୂତି ହାସଲ କରିଥିଲେ।
ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ. ସରୋଜ କୁଅଁର, ସମ୍ପାଦକ ସୁବ୍ରତ ତ୍ରିପାଠୀ, ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ଲଳିତ ଜସ୍ୱାଲ, ପ୍ରସନ୍ନ ପୁରୋହିତ, ଅଶୋକ ସାକୁନିଆ ଏବଂ ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସଂଯୁକ୍ତା ମେହେର, ମୀନାକ୍ଷୀ ପଣ୍ଡା, ଦୀପ୍ତିମୟୀ ମହାପାତ୍ର, ତେଜରାଜ ସାହୁ, ମମତା ରାଉଳ, ପ୍ରଜ୍ଞା ପରିମିତା ସ୍ୱାଇଁଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ