
ସମ୍ବଲପୁର, ୧୪ ସେପ୍ଟେମ୍ବର(ହି.ସ.) – ସମଗ୍ର ପଶ୍ଚିମ ଓଡ଼ିଶାରେ ଆଜି ହେଇଛି ମହାନ୍ କୃଷି ଭିତିକ ଗଣପର୍ବ ନୂଆଁଖାଇ। ଦୂର ଦୂରାନ୍ତରେ ରହୁଥିବା ଲୋକେ ନିଜ ଗାଁକୁ ଆସି ପରିବାର ସହିତ ନବାନ୍ନ ଭକ୍ଷଣ କରି ବନ୍ଧୁ ବାନ୍ଧବଙ୍କୁ ସାକ୍ଷାତ କରନ୍ତି। ଏହି ମର୍ମକୁ ଚରିତାର୍ଥ କରିବା ପାଇଁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ଦିନିଆ ସଂସଦୀୟ କ୍ଷେତ୍ର ଗସ୍ତରେ ଆସୁଛନ୍ତି। ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ପ୍ରଦତ ସୂଚନା ଅନୁଯାୟୀ ସାଂସଦ ଶ୍ରୀ ପ୍ରଧାନ ଶ୍ରୀଗଣେଶ ଚତୁର୍ଥୀ ସନ୍ଧ୍ୟାରେ ସମ୍ବଲପୁର ପହଂଚି ରାତ୍ରି ଯାପନ କରିଛନ୍ତି। ୧୫ ତାରିଖ ସକାଳେ ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ବାସଭବନରେ ତାଙ୍କ ପରିବାର ସହିତ ନୂଆଁ ଖାଇବେ। ଏହାପରେ ମଧ୍ୟାହ୍ନରେ ଈଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ। ଏହାପରେ ନୁଆଁଖାଇ ପାଇଁ ବାହାର ରାଜ୍ୟରୁ ଆସିଥିବା ଅତିଥିଙ୍କ ସହ ସେଠାରେ ନବାନ୍ନ ପ୍ରସାଦ ସେବନ କରିବେ ଓ ପରେ ଅତିଥିମାନଙ୍କ ସହିତ ଅଂଚଳର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ, ପର୍ଯ୍ୟଟନ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହାପରେ ଅପରାହ୍ନରେ ସହରର ବିଭିନ୍ନ ଗଣେଶ ପୂଜା ପେଣ୍ଡାଲ ଦର୍ଶନ ପାଇଁ ଯିବେ। ସନ୍ଧ୍ୟାରେ ମାରୱାଡ଼ି ଯୁବା ମଂଚ, ଓଡ଼ିଶା ସାଂସ୍କୃତିକ ସମାଜ, ଚିତ୍ରୋତ୍ପଳା ଯୁବକ ସଂଘ ଓ ସମଲେଶ୍ୱରୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଯୋଗଦେବେ।
୧୬ ତାରିଖ ପୂର୍ବାହ୍ନରେ କୁଚିଣ୍ଡା ଗସ୍ତରେ ଯାଇ ସେଠାରେ ରାଜ୍ୟ ପଂଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସ୍ୱର୍ଗବାସୀ ମା'ଙ୍କ ଗଙ୍ଗା ଶ୍ରାଦ୍ଧୋତ୍ସବରେ ଯୋଗଦେବେ। ସେଠାରୁ ଦେବଗଡ଼ ଗସ୍ତରେ ଯାଇ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ବିକାଶ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି(ଦିଶା) ବୈଠକରେ ସାମିଲ୍ ହେବେ। ସନ୍ଧ୍ୟାରେ ଦେବଗଡ଼ ସହରର ବିଭିନ୍ନ ଗଣେଷ ପୂଜା ପେଣ୍ଡାଲ ଦର୍ଶନ କରି ସମ୍ବଲପୁର ଫେରିବେ।
୧୭ ତାରିଖ ସକାଳେ ଈଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦୀପ ପ୍ରଜ୍ୱଳନ କରିବେ। ପରେ କ୍ଷେତରାଜପୁର ଦୁର୍ଗା ମଙ୍ଗଲମ୍ ମଣ୍ଡପ ଠାରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହେବାକୁ ଥିବା ରକ୍ତଦାନ ଶିବିରରେ ସାମିଲ୍ ହେବେ। ଏହାପରେ ରେମେଡ ଅଂଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କ ସହ ଆଲୋଚନା କରି ସାମୂହିକ ଦୀପଦାନ କାର୍ଯ୍ୟକ୍ରମର ସାମିଲ ହୋଇ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ଆଶାକର୍ମୀମାନଙ୍କୁ ସମ୍ମାନିତ କରିବେ। ଏହାପରେ ଗଙ୍ଗାଧର ମେହେର ଏକକ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ସାମଜିକ ସଶକ୍ତିକରଣ ଉତ୍ସବରେ ଯୋଗଦେବେ। ଏହାପରେ ଅପରାହ୍ନରେ ସାଂସଦ ଶ୍ରୀ ପ୍ରଧାନଙ୍କ ଅନୁଗୁଳ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେପି କର୍ମକର୍ତା, ପଦାଧିକାରୀ, ସମର୍ଥକ ଓ ସାଧାରଣ ଜନତା ଉପସ୍ଥିତ ରହିବାକୁ ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଅନୁରୋଧ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ