
କନ୍ଧମାଳ, ୧୪ ସେପ୍ଟେମ୍ବର(ହି.ସ.) – ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଗଜାନନ ଶ୍ରୀ ଗଣେଶଙ୍କ ପୂଜା ଗାଁ ଠୁ ସହର ଚାରିଆଡ଼େ ପାଳିତ ହେଉଥିବାବେଳେ ସବୁବର୍ଷ ପରି ଚଳିତ ବର୍ଷ ଜିଲ୍ଲା ଇ- ପାଠାଗାର, କନ୍ଧମାଳରେ ମହା ଆଡ଼ମ୍ବରରେ ପୂଜା ପାଳିତ ହୋଇଯାଇଛି। ପାଠାଗାର ପ୍ରାଙ୍ଗଣରେ ୫୦୦ରୁ ଉର୍ଦ୍ଧ୍ୱ ପାଠକ ପାଠିକାଙ୍କ ସମାଗମ ଦେଖିବାକୁ ମିଳିଥିଲା। ବିନା ପଲିଥିନ୍ ରେ ହସ୍ତତନ୍ତ କଳାକୃତିରେ ବେଶ୍ ମନମୁଗ୍ଧକର ସାଜସଜ୍ଜା ଭକ୍ତ ଓ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ସମ୍ପାଦକ ଇଂ ହରି ଶଙ୍କର ରାଉତ ଯୋଗ ଦେଇ ଜେନ୍ ଜିଙ୍କ ଆଧ୍ୟାତ୍ମିକ ମନୋଭାବ ଓ ଶୃଙ୍ଖଳାକୁ ଉତ୍ସାହିତ କରିଛନ୍ତି।
ଏଥି ସହ ପାଠାଗାର ପରିଚାଳକ ସଦସ୍ୟ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ଓ ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଯୋଗଦେଇ ଉତ୍ସବମୁଖର ମୁହୂର୍ତରେ ସାମିଲ ହୋଇଥିଲେ। ଇ - ପାଠାଗାରରୁ ପଢ଼ି ସଫଳତା ହାସଲ କରିଥିବା ଅନେକ ଯୁବ ନବନିଯୁକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆଇ ଟି ଡି ଏ, ଫୁଲବାଣୀ ଓ ଜିଲ୍ଲା ପ୍ରଶାସନ ଅନେକ କର୍ମଚାରୀ ପୂଜାରେ ଯୋଗ ଦେଇଥିଲେ। ଗ୍ରନ୍ଥାଗାରିକ ଶ୍ରୀ ଶିବ ସୁନ୍ଦର ସାହୁ କର୍ତା ରୂପେ ଆହୂତି ଦେବା ସହ ସହ- ଗ୍ରନ୍ଥାଗାରିକ ପ୍ରଭାତ କୁମାର ଦାସ, ଓ କର୍ମଚାରୀ ସରସ୍ୱତୀ ବିନ୍ଧାଣୀ, ପ୍ରଭାସିନୀ ଓ କିଛି ଉଦଯୋଗୀ ଛାତ୍ର ଛାତ୍ରୀ ଆୟୋଜନ ଓ ସୁପରିଚାଳନା କରିଥିଲେ। ଦିନକୁ ଦିନ ଯୁବ ପିଢ଼ିଙ୍କ ପାଠାଗାରମୁଖୀ ଭାବକୁ ଫୁଲବାଣୀ ସହରରେ ପ୍ରଶଂସାର ସୁଅ ଛୁଟିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ