
ନୂଆଦିଲ୍ଲୀ, ୧୪ ସେପ୍େଟମ୍ବର (ହି.ସ.)- ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଜାତୀୟ ରାଜପଥଗୁଡ଼ିକରେ ଯାତ୍ରୀମାନଙ୍କୁ ଉନ୍ନତ ଏବଂ ଦ୍ରୁତ ସହାୟତା ଉପଲବ୍ଧ କରାଇବା ପାଇଁ ୧୦୩୩ ହେଲ୍ପଲାଇନକୁ ନୂଆ ପ୍ରଯୁକ୍ତିରେ ସଜ୍ଜିତ କରିବାକୁ ଯାଉଛି। ଉନ୍ନତ ପ୍ରଣାଳୀରେ କୃତ୍ରିମ ବୁଦ୍ଧିମତା (ଏଆଇ), ରିଅଲ ଟାଇମ ଲୋକେସନ ଟ୍ରାକିଂ ଏବଂ ସ୍ମାର୍ଟ ଜରୁରୀକାଳୀନ ପ୍ରତିକ୍ରିୟା ଭଳି ସୁବିଧା ଯୋଡ଼ାଯିବ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସୋମବାର କହିଛି ଯେ ନୂଆ ବ୍ୟବସ୍ଥା ଅଧୀନରେ ହେଲ୍ପଲାଇନ କଲ କରୁଥିବା ବ୍ୟକ୍ତିଙ୍କ ଲୋକେସନ ଚିହ୍ନଟ କରିପାରିବ, ବିଭିନ୍ନ ଭାରତୀୟ ଭାଷାରେ କଥାବାର୍ତା ବୁଝିପାରିବ ଏବଂ ଆବଶ୍ୟକତା ଅନୁଯାୟୀ ଶୀଘ୍ର ସହାୟତା ଉପଲବ୍ଧ କରାଇବ। ତେବେ ଜରୁରୀକାଳୀନ ପରିସ୍ଥିତିରେ ମାନବ ଅପରେଟରଙ୍କ ଭୂମିକା ପୂର୍ବଭଳି ରହିବ।
ମନ୍ତ୍ରଣାଳୟ ଅନୁଯାୟୀ ୧୦୩୩ ହେଲ୍ପଲାଇନ ୨୦୧୮ ମସିହାରୁ ପରିଚାଳିତ ହେଉଛି ଏବଂ ଚବିଶ ଘଂଟା ଉପଲବ୍ଧ ରହେ। ଏହା ମାଧ୍ୟମରେ ଚିକିତ୍ସାଜନିତ ଜରୁରୀକାଳୀନ ପରିସ୍ଥିତି, ଯାନ ଖରାପ ହେବା, ଆମ୍ବୁଲାନ୍ସ, କ୍ରେନ ଏବଂ ପାଟ୍ରୋଲିଂ ଯାନର ସହାୟତା, ଟୋଲ ପ୍ଲାଜା ଏବଂ ଫାଷ୍ଟାଗ ସମ୍ବନ୍ଧୀୟ ଅଭିଯୋଗ ସମେତ ଜାତୀୟ ରାଜପଥଗୁଡ଼ିକରେ ଯାତ୍ରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯାଏ। ବର୍ତମାନ ଏହି ହେଲ୍ପଲାଇନ ୧.୪୬ ଲକ୍ଷ କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନେଟୱର୍କକୁ କଭର କରୁଛି ଏବଂ ପ୍ରତିଦିନ ପ୍ରାୟ ୧୫ ହଜାର କଲ ପାଉଛି।
ନୂଆ ପ୍ରଣାଳୀରେ ସହାୟତା ପହଂଚାଇବାର ପ୍ରକ୍ରିୟାକୁ ଆହୁରି ଦ୍ରୁତ କରାଯିବ। ଏହା ବ୍ୟତୀତ କଲରଙ୍କ ଲୋକେସନର ସ୍ୱତଃ ଚିହ୍ନଟ, ବିଭିନ୍ନ ଭାରତୀୟ ଭାଷାରେ ଏଆଇ ଆଧାରିତ ସହାୟତା, ଆବଶ୍ୟକତା ଅନୁଯାୟୀ ଆମ୍ବୁଲାନ୍ସ କିମ୍ବା ଅନ୍ୟ ସମ୍ବଳର ତ୍ୱରିତ ମୁତୟନ, ଯାତ୍ରୀମାନଙ୍କୁ ସମୟୋଚିତ ଆଲର୍ଟ ଏବଂ ଜରୁରୀକାଳୀନ ସେବାଗୁଡ଼ିକ ମଧ୍ୟରେ ଉନ୍ନତ ସମନ୍ୱୟ ଭଳି ସୁବିଧା ଉପଲବ୍ଧ ହେବ।
ଏନଏଚଏଆଇର ପ୍ରବର୍ତିତ କମ୍ପାନୀ ଭାରତୀୟ ରାଜପଥ ପରିଚାଳନା କମ୍ପାନୀ ଲିମିଟେଡ (ଆଇଏଚଏମସିଏଲ) ପରବର୍ତୀ ପିଢ଼ିର ୧୦୩୩ ହେଲ୍ପଲାଇନ ଏବଂ କଲ ସେଂଟରର ବିକାଶ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଆଗ୍ରହୀ କମ୍ପାନୀମାନଙ୍କଠାରୁ ଆବେଦନ ମାଗିଛି। ଏଥିପାଇଁ ସଫ୍ଟୱେର ବିକାଶ, ଡିଜିଟାଲ ମଂଚ, ଚବିଶ ଘଂଟିଆ କଲ ସେଂଟର ପରିଚାଳନା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ସେବାର ଅଭିଜ୍ଞତା ଥିବା କମ୍ପାନୀମାନଙ୍କୁ ଆମନ୍ତ୍ରଣ କରାଯାଇଛି।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ