
ମାଲକାନଗିରି, ୧୪ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୩୨୬ ନଂ ଜାତୀୟ ରାଜପଥର ଏମଭି-୯୦ ତେଲରାଇ ମଧ୍ୟଭାଗ ମୋଡ଼ ନିକଟରେ ସୋମବାର ସକାଳ ପ୍ରାୟ ୧୧ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ତେଲ ଡ୍ରମ୍ ବୋଝେଇ ଡାଲା ଅଟୋ ସହିତ ବାଇକ୍ ର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ନାବାଳକ ଜଣକ ପଡିଆ ଥାନା ଅନ୍ତର୍ଗତ ଏମପିଭି-୬୬ ଗ୍ରାମର ସୁମଙ୍ଗଲ ଚୌଧୁରୀଙ୍କ ପୁଅ ଯାମିନୀ ଚୌଧୁରୀ (୧୫) ବୋଲି ଜଣାପଡିଛି । ବାଇକ୍ ରେ ଥିବା ଅନ୍ୟ ଯୁବକ ସେହି ଗ୍ରାମର ଉତ୍ତମ ବିଶ୍ୱାସଙ୍କ ପୁଅ ରୋହିତ ବିଶ୍ୱାସ (୨୨) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ଯାମିନୀ ଓ ରୋହିତ ବାଇକ୍ ଯୋଗେ କାଲିମେଳା ପଟୁ ଏମଭି-୭୯ ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ତେଲ ବୋଝେଇ ଡାଲା ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ଅଟୋ ଓ ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି ଏବଂ ଅଟୋରେ ଥିବା ତେଲ ଡ୍ରମ୍ ଗୁଡିକ ରାସ୍ତା ଉପରେ ପଡି ରହିଥିଲା । ଖବର ପାଇ ଏମଭି-୭୯ ପୋଲିସ ଓ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଟୋ ଓ ବାଇକ୍ କୁ ଜବତ କରିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏମଭି -୭୯ ଥାନା ଅଧିକାରିଣୀ ପୂର୍ଣ୍ଣିମା ଟେଟେଙ୍କ ଉପସ୍ଥିତିରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ