

ଜୟପୁର, ୧୪ ସେପ୍ଟେମ୍ବର(ହି.ସ.) – କୋରାପୁଟର ସବୁଜ ସୁନ୍ଦର କଫି ବଗିଚାରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀର ବିଶ୍ୱସ୍ତରୀୟ କୂଟନୈତିକ ମଂଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ସୁଚନା ପାଇବା ପରେ କୋରାପୁଟ ଜିଲାରେ ଖୁସିର ଲହରି ଖେଳି ଫାଇଛି। କୋରାପୁଟ ଜିଲା ମାଳ ଅଂଚଳ ସହ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ। ପ୍ରଥମେ ଏଠାରେ ଧାନ ଉତ୍ପାଦନ ହୋଇଥିବାବେଳେ ବର୍ତମାନ କଫି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାରୀ କରିଛି।
କୋରାପୁଟର ପୂର୍ବ ଘାଟ ଅଂଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଚାଷ କରାଯାଉଥିବା ଉନ୍ନତମାନର ଆରାବିକା' କଫି- ଟାଇଗର ବ୍ରାଇଟ୍' ବ୍ରିକ୍ସ ସମ୍ମିଳନୀର ଅତିଥିମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଏହା ବିଶ୍ୱକୁ ଓଡ଼ିଶାର ସ୍ୱାଦ ଚଖାଇବା ସହ ଆଦିବାସୀ ଉଦ୍ୟୋଗ ଏବଂ ସ୍ଥାୟୀ ଜୀବିକା ନିର୍ବାହର କ୍ଷମତାକୁ ପ୍ରଦର୍ଶନ କରିଛି।
ଆମ୍ବ, ପଣସ ଏବଂ ଲେମ୍ବୁ ଜାତୀୟ ଗଛର ଛାଇ ତଳେ ୯୨୦-୯୫୦ ମିଟର ଉଚ୍ଚତାରେ ଅବସ୍ଥିତ କୋରାପୁଟ ଜିଲ୍ଲାର ନନ୍ଦପୁର ଓ ମାଛକୁଣ୍ଡ ଅଂଚଳରେ ଏହା ଉତ୍ପାଦିତ ହୁଏ। ଏହି ୧୦୦% ଆରାବିକା କଫି ଫଳ ଚେରିଗୁଡ଼ିକୁ ସମ୍ପୂର୍ଣ୍ଣ ପାଚିଯିବା ପରେ ହାତରେ ତୋଳାଯାଏ ଏବଂ ଉଚ୍ଚା ମଂଚା ଉପରେ ରଖି ଖରାରେ ଶୁଖାଯାଏ। ଏହି କଫିରେ କମଳା, ଲେମ୍ବୁ ଓ ମିଠା ଲେମ୍ବୁ ଭଳି ସିଟ୍ରସ୍ ବା ଖଟା-ମିଠା ସ୍ୱାଦ ସହିତ କାରାମେଲ୍ ଓ ଚକୋଲେଟର ସୂକ୍ଷ୍ମ ସ୍ୱାଦ ମଧ୍ୟ ଅନୁଭୂତ ହୁଏ।
ଟ୍ରାଇବାଲ୍ ଡେଭଲପମେଂଟ କୋ-ଅପରେଟିଭ୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍'ର ସମ୍ପୂର୍ଣ୍ଣ ସହଯୋଗରେ ଏହି ପଦକ୍ଷେପ ଏକ ସମ୍ପୂର୍ଣ୍ଣ ଭାଲ୍ୟୁ-ଚେନ୍' ମୂଲ୍ୟ-ଶୃଙ୍ଖଳା ମଡେଲରେ ପରିଣତ ହୋଇଛି। ୧୧ ସେପ୍ଟେମ୍ବର ୨୦୧୯ରେ କୋରାପୁଟ କଫି' ବ୍ରାଣ୍ଡ୍ ଭାବେ ଶୁଭାରମ୍ଭ ହେବା ପରଠାରୁ ଏହା ରେକର୍ଡ ପରିମାଣର ଅଭିବୃଦ୍ଧି ହାସଲ କରିଛି।
୨୦୨୫-୨୬ ମୌସୁମୀ ସମୟରେ, ରେକର୍ଡ଼ ପରିମାଣର ୧୦୨.୫୪ ମେଟ୍ରିକ୍ ଟନ୍ କଫି ଫଳ ସଂଗ୍ରହ କରିଛି - ଯାହା ୨୦୨୨-୨୩ର ୩୪.୬୮ ମେଟ୍ରିକ୍ ଟନ୍ ତୁଳନାରେ ପ୍ରାୟ ତିନିଗୁଣ ଅଟ କୋରାପୁଟ କଫିରେ ଦୁଇଟି ଫାଇନ୍ କପ୍ ଆୱାର୍ଡ' ଜିତିବା ସହ କଫି ବୋର୍ଡର ଫ୍ଲେଭର୍ ଅଫ୍ ଇଣ୍ଡିଆ ଫାଇନ୍ କପ୍ ୨୦୨୪'ରେ ଚତୁର୍ଥ ସ୍ଥାନ ହାସଲ କରିଛି। ଓଡ଼ିଶା ଏବଂ ଦିଲ୍ଲୀରେ ଆଠଟି କୋରାପୁଟ କଫି କାଫେ' ଯେଉଁଥିରେ ନାଲକୋ ଦାମନଯୋଡ଼ି ସ୍ଥିତ କାଫେ ଅନ୍ତର୍ଭୁକ୍ତ ସ୍ଥାପନ କରିଛି, ଯାହା ୨୦୨୩-୨୪ ଆର୍ôଥକ ବର୍ଷରେ ୧.୬୪ କୋଟି ଟଙ୍କାର ବିକ୍ରି ହାସଲ କରିଛି। ବର୍ତମାନ ସୁଦ୍ଧା ୧୦,୬୩୪ରୁ ଅଧିକ ଟାଇଗର ବ୍ରାଇଟ୍' ପ୍ୟାକେଟ୍ ବଜାରରେ ଉପଲବ୍ଧ କରାଯାଇଛି।
ବ୍ରିକ୍ସ ସମ୍ମିଳନୀରେ ଏହାର ଉପସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସ୍ଥାପନ କରିଛି – ଏହା ଏକ ଆଦିବାସୀ ଜୀବିକା ଉତ୍ପାଦକୁ ଏକ ବ୍ରାଣ୍ଡଯୁକ୍ତ ପ୍ରିମିୟମ୍ ଉତ୍ପାଦରେ ପରିଣତ କରିଛି, ଯାହା ବର୍ତମାନ ଆନ୍ତର୍ଜାତୀୟ ସ୍ତରରେ ଭାରତର ଗ୍ରାମୀଣ ଅର୍ଥନୀତିର ପ୍ରତିନିଧିତ୍ୱ କରୁଛି। ଫଳରେ କୋରାପୁଟ କଫି ବିଶ୍ୱଦରକାର ରେ ସ୍ୱତନ୍ତ ସ୍ଥାନ ବଜାୟ ରଖିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି