
ଜୟପୁର, ୧୪ ସେପ୍ଟେମ୍ବର (ହି.ସ.)- ଜୟପୁରରେ ମଦ କାରବାରକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଯେଉଁଠି ଅବକାରୀ ବିଭାଗ ଓ ପୋଲିସର ନଜର ଏଡ଼ାଇ ବେଧଡ଼କ ଚାଲିଥିଲା ମଦ କାରବାର, ସେଠାରେ ମଦ ମାଫିଆଙ୍କୁ ଧରିବାକୁ ନିଜେ ମଇଦାନକୁ ଓହ୍ଲାଇଲେ କୁନ୍ଦୁରା ବ୍ଲକ୍ ଅଧ୍ୟକ୍ଷା । ମଦ ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ।
କୁନ୍ଦୁରା ବ୍ଲକ୍ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ବେଆଇନ ମଦ କାରବାର । ଅଭିଯୋଗ ଅନୁସାରେ, ଗାଁ ଗାଁରେ ଚାଲିଛି ଚୋରା ମଦ ବିକ୍ରି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ସମୟରେ ମଦ ମାଫିଆଙ୍କ ବିରୋଧରେ ନିଜେ ଆଗକୁ ଆସିଛନ୍ତି କୁନ୍ଦୁରା ବ୍ଲକ୍ ଅଧ୍ୟକ୍ଷା । ମଦ କାରବାର ଚାଲିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ମଦ ମାଫିଆଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିଲା ଗୋଡ଼ାଗୋଡ଼ି ।
ଏଠି ପ୍ରଶ୍ନ ଉଠୁଛି, ଯେଉଁ କାମ ପୋଲିସ ଓ ଅବକାରୀ ବିଭାଗ କରିବା କଥା, ସେହି କାମ ପାଇଁ କାହିଁକି ଜଣେ ଜନପ୍ରତିନିଧିଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିଲା ?
ଅଞ୍ଚଳରେ ଏତେ ପରିମାଣରେ ବେଆଇନ ମଦ କାରବାର ଚାଲିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନଜର କାହିଁକି ପଡ଼ୁନଥିଲା ?
ମଦ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ଘଟଣାଟି କେବଳ ଧରାପଡ଼ିବାରେ ସୀମିତ ରହିଯିବ—ତାହା ଉପରେ ଏବେ ସମସ୍ତଙ୍କ ନଜର । ଅନ୍ୟପଟେ, ଘଟଣାକୁ ନେଇ ପୋଲିସ ଓ ଅବକାରୀ ବିଭାଗର ଆଗାମୀ ପଦକ୍ଷେପ କ'ଣ ରହୁଛି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ହିନ୍ଦୁସ୍ଥାନ ସମାଚାର / ପିକେପି