ନାଚେନମୁରା-ଟେଙ୍ଗେନାମାଲ ରାସ୍ତା ଅଧପନ୍ତରିଆ
Demand to complete the road
ନାଚେନମୁରା-ଟେଙ୍ଗେନାମାଲ ରାସ୍ତା ଅଧପନ୍ତରିଆ


ବ୍ରିଜ୍ ନିର୍ମାଣ ସରିଛି, ରାସ୍ତା ସଂଯୋଗ ହୋଇନି; ୨ ବର୍ଷରୁ ଅଧିକ ସମୟ ଧରି ଲୋକେ ଅସ୍ଥାୟୀ ପୋଲ ଭରସାରେ

ଝାରସୁଗୁଡ଼ା, 15 ସେପ୍ଟେମ୍ବର (ହି.ସ.) ଗ୍ରାମାଞ୍ଚଳରେ ଉନ୍ନତ ଯାତାୟାତ ବ୍ୟବସ୍ଥା ପାଇଁ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଲଖନପୁର ବ୍ଲକର ନାଚେନମୁରା-ଟେଙ୍ଗେନାମାଲ ରାସ୍ତାର ଅଧୁରା କାମ ଏବେ ସାଧାରଣଙ୍କ ପାଇଁ ସମସ୍ୟା ପାଲଟିଛି। ରାସ୍ତା ନିର୍ମାଣକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଅବଶିଷ୍ଟ କାମ ଆରମ୍ଭ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ଲଖନପୁର ବ୍ଲକ ପଲସଦା ଗ୍ରାମପଞ୍ଚାୟତର ନାଚେନମୁରାଠାରୁ କତରବଗା ପଞ୍ଚାୟତର ଦର୍ରିଢିପା, ସୁଖାଡିହି, ବାଉସେନପାଲି ଓ ମଚିଦା ପଞ୍ଚାୟତର ବରଝା ଦେଇ ଟେଙ୍ଗେନାମାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୨୦୨୧ ଆର୍ଥିକ ବର୍ଷରେ ୨ କୋଟି ୫୯ ଲକ୍ଷ ୭୪ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଟେଣ୍ଡର ପ୍ରକ୍ରିୟା ପରେ ଏକ ଠିକାସଂସ୍ଥାକୁ କାମ ଦାୟିତ୍ୱ ଦିଆଯାଇଥିଲା।

ଏହି ରାସ୍ତାର ବରଝାଠାରୁ ସୁଖାଡିହି, ଦର୍ରିଢିପା ଦେଇ ଏନ୍ଏଚ୍-୪୯ର ବାଉସେନପାଲି (କ) ଛକ ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇଛି। ତେବେ ବରଝାଠାରୁ ଟେଙ୍ଗେନାମାଲ ଏବଂ ଏନ୍ଏଚ୍-୪୯ଠାରୁ ନାଚେନମୁରା ପର୍ଯ୍ୟନ୍ତ ରାସ୍ତା କାମ ଏଯାବତ୍ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି। ଫଳରେ ଏହି ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମବାସୀ, ଛାତ୍ରଛାତ୍ରୀ, ଚାଷୀ ଓ ରୋଗୀମାନେ ଯାତାୟାତରେ ଦୁର୍ଦ୍ଦଶା ଭୋଗୁଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ଦର୍ରିଢିପା ନିକଟସ୍ଥ ନାଳା ଉପରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବ୍ରିଜ୍ ନିର୍ମାଣ ଶେଷ ହୋଇଛି। ମାତ୍ର ବ୍ରିଜ୍କୁ ଉଭୟ ପାର୍ଶ୍ୱର ରାସ୍ତା ସହ ସଂଯୋଗ କରାଯାଇନଥିବାରୁ ଏହା ଲୋକଙ୍କ କାମରେ ଆସୁନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବ୍ରିଜ୍ଟି ପୂର୍ବ-ପଶ୍ଚିମ ଦିଗରେ ନିର୍ମାଣ ହୋଇଥିବା ବେଳେ ରାସ୍ତା ଉତ୍ତର-ଦକ୍ଷିଣ ଦିଗରେ ରହିଛି। ଏହା ସହିତ ଦୁଇ ପାର୍ଶ୍ୱରେ ରୟତି ଜମି ଥିବାରୁ ରାସ୍ତାକୁ ବ୍ରିଜ୍ ସହ ସଂଯୋଗ କରିବାରେ ସମସ୍ୟା ଉପୁଜିଛି।

ଏହାର ପରିଣାମସ୍ୱରୂପ ଦୁଇ ବର୍ଷରୁ ଅଧିକ ସମୟ ଧରି ରାସ୍ତା ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ବ୍ରିଜ୍ ଥାଇ ମଧ୍ୟ ଲୋକେ ବାଧ୍ୟ ହୋଇ ଅସ୍ଥାୟୀ ପୋଲ ଦେଇ ଯାତାୟାତ କରୁଛନ୍ତି। ବର୍ଷା ସମୟରେ ନାଳାରେ ପାଣି ବଢ଼ିଲେ ଏହି ଅସ୍ଥାୟୀ ପୋଲ ଦେଇ ଯିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ୁଛି।

ରାସ୍ତାର ଏଭଳି ଦୁରବସ୍ଥା ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷା, ଚାଷୀଙ୍କ ଯାତାୟାତ ଓ ରୋଗୀଙ୍କ ଚିକିତ୍ସା ସେବା ପ୍ରଭାବିତ ହେଉଛି। ସରକାରୀ ଅର୍ଥରେ ବ୍ରିଜ୍ ନିର୍ମାଣ ହୋଇଥିଲେ ମଧ୍ୟ ତାହା ରାସ୍ତା ସହ ସଂଯୋଗ ହୋଇନଥିବା ଘଟଣାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

ତେଣୁ ରୟତି ଜମି ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ କରି ରାସ୍ତାର ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ବ୍ରିଜ୍କୁ ରାସ୍ତା ସହ ସଂଯୋଗ କରି ଯାତାୟାତ ପାଇଁ ଖୋଲିଦେବାକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande