
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.) ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ବାଜପେୟୀ ନଗରସ୍ଥିତ ଯାତ୍ରା ପଡ଼ିଆରେ ଅଖିଳ ଭାରତ ମହିଳା କଂଗ୍ରେସର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।
ଏହି ଅବସରରେ ମିନାକ୍ଷୀ ବାହିନୀପତି କହିଥିଲେ ଯେ, ୧୯୪୦ ମସିହାରେ ସ୍ୱାଧୀନତା ସଂଗ୍ରାମୀ ସୁଚେତା କୃପଲାନୀ ଭାରତୀୟ ଜାତୀୟ କଂଗ୍ରେସର ମହିଳା ଶାଖା ପ୍ରତିଷ୍ଠା କରିଥିଲେ। ୧୯୫୨ରୁ ୧୯୮୩ ପର୍ଯ୍ୟନ୍ତ ଏହା ଦଳର ମହିଳା ସେଲ୍ ଭାବେ କାର୍ଯ୍ୟ କରିଥିଲା। ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମହିଳା କଂଗ୍ରେସର ପୁନର୍ଗଠନ କରି ବେଙ୍ଗାଲୁରୁରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଏହାକୁ ‘ଅଖିଳ ଭାରତ ମହିଳା କଂଗ୍ରେସ’ ଭାବେ ରୂପାୟିତ କରିଥିଲେ। ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ ବେଗମ ଅବିଦା ଅହମ୍ମଦ ପ୍ରଥମ ଜାତୀୟ ସଭାନେତ୍ରୀ ଏବଂ ଜୟନ୍ତୀ ପଟ୍ଟନାୟକ ଦ୍ୱିତୀୟ ସଭାନେତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।
ବର୍ତ୍ତମାନ ଅଖିଳ ଭାରତ ମହିଳା କଂଗ୍ରେସ ଜାତୀୟ ସଭାନେତ୍ରୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି ବୋଲି ବାହିନୀପତି କହିଥିଲେ। ମହିଳା ଅଧିକାର, ନ୍ୟାୟ ଓ ନିଯୁକ୍ତି ପାଇଁ ଲାମ୍ବାଙ୍କ ନେତୃତ୍ୱରେ ଲଢ଼େଇ ଜାରି ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।
ଓଡ଼ିଶାରେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ଓ ନିର୍ଯାତନା ବିରୋଧରେ ମହିଳା କଂଗ୍ରେସ ଆନ୍ଦୋଳନ ଜାରି ରଖିଛି ବୋଲି ସେ କହିଥିଲେ। ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ସଂଗ୍ରାମକୁ ଆଗେଇ ନେବା ପାଇଁ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ବୋଲି ସେ କହିଥିଲେ। ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତରେ ମହିଳା କଂଗ୍ରେସ ସଭାନେତ୍ରୀ ନିଯୁକ୍ତ କରାଯାଇ ତୃଣମୂଳ ସ୍ତରରୁ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଓ ଦୁଷ୍କର୍ମ ବିରୋଧରେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ସେ କହିଥିଲେ।
ବିଜେପି ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ସୁରକ୍ଷିତ ରଖିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ମଧ୍ୟ ମହିଳାମାନଙ୍କ ପ୍ରତି ବିଶ୍ୱାସଘାତ କରିଛି ବୋଲି ବାହିନୀପତି ଅଭିଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ଅଖିଳ ଭାରତ ମହିଳା କଂଗ୍ରେସର ‘ପ୍ରିୟଦର୍ଶିନୀ ଉଡାନ’ କାର୍ଯ୍ୟକ୍ରମ ଅନ୍ତର୍ଗତ ମହିଳାମାନଙ୍କୁ ସାନିଟାରୀ ନାପ୍କିନ୍ ବଣ୍ଟନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ କେକ୍ କଟାଯିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ଜୟଶ୍ରୀ ପଟ୍ଟନାୟକ, ପ୍ରଣତୀ ମିଶ୍ର, ପ୍ରତିମା ମଲ୍ଲିକ, ବିଶ୍ୱକଲ୍ୟାଣୀ କର, ଜୟସ୍ମିତା ମହାନ୍ତି, ଶ୍ରୀୟା ମହାନ୍ତି, ଲଳିତା ନାୟକ, ପ୍ରମିଳା ସାହୁ, ଉର୍ବଶ୍ରୀ ମିଶ୍ର, କାମିନୀ ମହାରଣା ଓ ଅଞ୍ଜଳୀ ମଲ୍ଲିକଙ୍କ ସମେତ ବହୁ ମହିଳା କଂଗ୍ରେସ ନେତ୍ରୀ ଓ କର୍ମୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ