
ଝାରସୁଗୁଡ଼ା, ୧୫ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ସହରରେ ପ୍ରଥମ ଥର ପାଇଁ ଗଣେଶ ପୂଜାକୁ ନେଇ ‘ଝାରସୁଗୁଡ଼ା ଗଣେଶ ପୂଜା ଆୱାର୍ଡସ୍-୨୦୨୬’ ଆୟୋଜନ କରାଯାଉଛି। ଝାରସୁଗୁଡ଼ା ପୂଜା ଆୱାର୍ଡସ୍ କମିଟି (ଜେପିଏସି) ପକ୍ଷରୁ ସ୍ଥାନୀୟ ଡିଜିଟାଲ୍ ପ୍ଲାଟଫର୍ମ JSGLIVE.IN ସହଯୋଗରେ ଏହି ଅଭିନବ ପଦକ୍ଷେପ ନିଆଯାଇଛି। ସିଦ୍ଧାର୍ଥ ଆୱସ୍ଥି, ରିତେଶ ଶର୍ମା ଓ କୃଷ୍ଣ ମୁନ୍ଦ୍ରାଙ୍କ ମିଳିତ ପରିକଳ୍ପନାରେ ଆୟୋଜିତ ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଝାରସୁଗୁଡ଼ାର ବିଭିନ୍ନ ଗଣେଶ ପୂଜା କମିଟିର ସୃଜନଶୀଳତା, ପରିଶ୍ରମ, ଶୃଙ୍ଖଳା ଓ ଭକ୍ତିଭାବକୁ ସମ୍ମାନିତ କରିବା। ପ୍ରତିବର୍ଷ ଗଣେଶ ପୂଜା ଅବସରରେ ବିଭିନ୍ନ କମିଟି ପକ୍ଷରୁ ଆକର୍ଷଣୀୟ ପୂଜାମଣ୍ଡପ, ନିଆରା ସାଜସଜ୍ଜା, ସୁନ୍ଦର ମୂର୍ତ୍ତି ଏବଂ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥାଏ। ଏହାକୁ ଆହୁରି ପ୍ରୋତ୍ସାହିତ କରିବା ସହ ଉତ୍ତମ ପୂଜା କମିଟିଗୁଡ଼ିକୁ ଲୋକଙ୍କ ମାଧ୍ୟମରେ ସମ୍ମାନିତ କରିବା ଏହି ପୁରସ୍କାରର ମୁଖ୍ୟ ଲକ୍ଷ୍ୟ।
ଗଣେଶ ପୂଜା କେବଳ ଧାର୍ମିକ ଓ ସାଂସ୍କୃତିକ ପର୍ବ ନୁହେଁ, ଏହା ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସକ୍ରିୟ କରିଥାଏ। ପୂଜା ଅବସରରେ ସାଜସଜ୍ଜା କାରିଗର, ମୂର୍ତ୍ତି ନିର୍ମାତା, ବିଦ୍ୟୁତ୍ ଓ ଆଲୋକସଜ୍ଜା କର୍ମଚାରୀ, ସାଉଣ୍ଡ ବ୍ୟବସାୟୀ, ଖାଦ୍ୟ ବିକ୍ରେତା ଓ ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହୋଇଥାଏ। ତେଣୁ ଏଭଳି ଆୟୋଜନ ଝାରସୁଗୁଡ଼ାର ସାଂସ୍କୃତିକ ପରିଚୟ ସୁଦୃଢ଼ କରିବା ସହ ସ୍ଥାନୀୟ ଅର୍ଥନୈତିକ ଗତିଶୀଳତାକୁ ବଢ଼ାଇବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ବିଭିନ୍ନ ବର୍ଗରେ ଆକର୍ଷଣୀୟ ନଗଦ ପୁରସ୍କାର ରହିଛି। ‘ଶ୍ରେଷ୍ଠ ପୂଜାମଣ୍ଡପ ଓ ସାଜସଜ୍ଜା’ ପାଇଁ ୩୧ ହଜାର ଟଙ୍କା, ‘ଶ୍ରେଷ୍ଠ ଗଣେଶ ମୂର୍ତ୍ତି’ ପାଇଁ ୨୧ ହଜାର ଟଙ୍କା, ‘ସବୁଠାରୁ ଶୃଙ୍ଖଳିତ ଓ ପରିଷ୍କାର ପୂଜାମଣ୍ଡପ’ ପାଇଁ ୧୧ ହଜାର ଟଙ୍କା ଏବଂ ‘ଶ୍ରେଷ୍ଠ ବିସର୍ଜନ’ ପାଇଁ ୨୧ ହଜାର ଟଙ୍କା ପୁରସ୍କାର ରହିଛି। ଏଥିସହ ଝାରସୁଗୁଡ଼ାର ଗଣେଶ ପୂଜାର ଭାବନା ଓ ଭବ୍ୟତାକୁ ନେଇ ଉତ୍କୃଷ୍ଟ ଭିଡିଓ କିମ୍ବା ରିଲ୍ ପ୍ରସ୍ତୁତ କରୁଥିବା ୪ ଜଣ ସୃଷ୍ଟିକର୍ତ୍ତାଙ୍କୁ ୫,୧୦୦ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ।
ଆୟୋଜକ ସିଦ୍ଧାର୍ଥ ଆୱସ୍ଥି କହିଛନ୍ତି, ଗତ ଦୁଇ ବର୍ଷ ଧରି ପୂଜା କମିଟିଗୁଡ଼ିକର ପରିଶ୍ରମକୁ ସମ୍ମାନିତ କରିବା ପାଇଁ ଏକ ମଞ୍ଚ ସୃଷ୍ଟି କରିବା ନେଇ ଚିନ୍ତା କରାଯାଉଥିଲା। ଚଳିତ ବର୍ଷ JSGLIVE.IN ସହଯୋଗରେ ଏହି ପରିକଳ୍ପନା ବାସ୍ତବ ରୂପ ନେଇଛି। ଏହା କେବଳ ପୁରସ୍କାର ପ୍ରଦାନରେ ସୀମିତ ନ ରହି ପୂଜା କମିଟିଗୁଡ଼ିକୁ ଆହୁରି ବଡ଼, ଉନ୍ନତ ଓ ସୃଜନଶୀଳ ଆୟୋଜନ ପାଇଁ ପ୍ରେରଣା ଦେବ ବୋଲି ସେ କହିଛନ୍ତି।
ପୁରସ୍କାର ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସମସ୍ତଙ୍କ ପାଇଁ ସହଜ କରିବାକୁ awards.jsglive.in ନାମରେ ସ୍ୱତନ୍ତ୍ର ଅନ୍ଲାଇନ୍ ଭୋଟିଂ ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ସେପ୍ଟେମ୍ବର ୧୪ରୁ ୩୦ ତାରିଖ ଯାଏଁ ଭୋଟିଂ ଚାଲିବ। ପ୍ରତ୍ୟେକ ପୂଜାମଣ୍ଡପର ସ୍ୱତନ୍ତ୍ର କ୍ୟୁଆର୍ କୋଡ୍ ମାଧ୍ୟମରେ ଲୋକେ ନିଜ ପସନ୍ଦର ପୂଜା କମିଟିକୁ ବିଭିନ୍ନ ବର୍ଗରେ ଭୋଟ୍ ଦେଇପାରିବେ। ଭୋଟ୍ ପାଇଁ ମୋବାଇଲ୍ ଓଟିପି ଯାଞ୍ଚ ବ୍ୟବସ୍ଥା ରହିଛି।
ଆୟୋଜକ ରିତେଶ ଶର୍ମା କହିଛନ୍ତି ଯେ, ପୁରସ୍କାର ପ୍ରକ୍ରିୟାରେ ଝାରସୁଗୁଡ଼ାବାସୀଙ୍କୁ ସାମିଲ କରିବା ଏହି ଆୟୋଜନର ଅନ୍ୟତମ ଲକ୍ଷ୍ୟ। ତେବେ ଚୂଡ଼ାନ୍ତ ଫଳାଫଳ କେବଳ ଜନସାଧାରଣଙ୍କ ଭୋଟ୍ ଉପରେ ନିର୍ଭର କରିବ ନାହିଁ। ୧୦ ଜଣିଆ ବିଚାରକ ମଣ୍ଡଳୀ ସ୍ୱତନ୍ତ୍ର ଭାବେ ପୂଜା କମିଟିଗୁଡ଼ିକର ମୂଲ୍ୟାୟନ କରିବେ। ଜନସାଧାରଣଙ୍କ ଭୋଟ୍ ଓ ବିଚାରକଙ୍କ ମୂଲ୍ୟାୟନକୁ ମିଶାଇ ଚୂଡ଼ାନ୍ତ ବିଜେତା ଘୋଷଣା କରାଯିବ।ଆୟୋଜକ କୃଷ୍ଣ ମୁଣ୍ଡ୍ରା କହିଛନ୍ତି ଯେ, ଝାରସୁଗୁଡ଼ାରେ ପ୍ରଥମ ଥର ଏଭଳି ପଦକ୍ଷେପ ନିଆଯାଉଥିବାରୁ ଏହା ପୂଜା କମିଟି ଓ ସାଧାରଣ ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବ। ଏହା ପୂଜା ଆୟୋଜନରେ ସୃଜନଶୀଳତା, ଶୃଙ୍ଖଳା ଓ ନୂତନତ୍ୱକୁ ପ୍ରୋତ୍ସାହିତ କରିବ। ଏହି ଅଭିଯାନକୁ ସଫଳ କରିବା ପାଇଁ ସାମାଜିକ ସଂଗଠନ, ବିଭିନ୍ନ ଅନୁଷ୍ଠାନ ଓ ଝାରସୁଗୁଡ଼ାବାସୀଙ୍କ ସହଯୋଗ ପାଇଁ ସେ ଆହ୍ୱାନ ଦେଇଛନ୍ତି। ଆଗାମୀ ଦିନରେ ‘ଝାରସୁଗୁଡ଼ା ଗଣେଶ ପୂଜା ଆୱାର୍ଡସ୍’କୁ ପ୍ରତିବର୍ଷ ଆୟୋଜନ କରି ସହରର ସାଂସ୍କୃତିକ ପରମ୍ପରା, ଜନସହଭାଗିତା ଓ ଉତ୍ସବ ପର୍ଯ୍ୟଟନକୁ ଆହୁରି ମଜବୁତ କରିବା ଲକ୍ଷ୍ୟ ରଖାଯାଇଛି। ‘ଆମ ପୂଜାମଣ୍ଡପ, ଆମ ଗର୍ବ’ ବାର୍ତ୍ତା ନେଇ ଝାରସୁଗୁଡ଼ାବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ନିଜ ପସନ୍ଦର ପୂଜାମଣ୍ଡପକୁ ଭୋଟ୍ ଦେବାକୁ କମିଟି ପକ୍ଷରୁ ଆହ୍ୱାନ କରାଯାଇଛି।
ଏହି ଆୟୋଜନରେ ବରିଷ୍ଠ ସାମ୍ବାଦିକ ସଞ୍ଜୟ ଲୋଧା ସତପାଲ ସିଂହ, ସନ୍ଦୀପ ଆୱସ୍ଥି, ମୁକେଶ ତିୱାରୀ, ସିଏ ଅମିତ ଅଗ୍ରୱାଲ, ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀ, ସାମ୍ବାଦିକ ଆଶିଷ ରଞ୍ଜନ ଦାସ ଓ ଅକ୍ଷୟ ପତି ପ୍ରମୁଖ ସହଯୋଗ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ