
ଚମ୍ପୁଆ, ୧୫ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ବହୁ ପ୍ରତିକ୍ଷିତ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ପାଇଁ ନିଜର ଭିଟାମାଟି ହରାଇଥିବା ବିସ୍ଥାପିତମାନେ ଏବେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ପ୍ରକଳ୍ପ ଯୋଗୁଁ ଚମକପୁର ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ପରିବାର ପ୍ରଭାବିତ ହୋଇ ନାରଦପୁରସ୍ଥିତ ଲୁଣି ସାହିରେ ନିଜସ୍ୱ ଖର୍ଚ୍ଚରେ ଘରଡ଼ିହ କ୍ରୟ କରି ବସବାସ କରୁଛନ୍ତି। ତେବେ ବସତି ସ୍ଥାପନର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ସାହିରେ ସର୍ବନିମ୍ନ ମୌଳିକ ସୁବିଧାର ଘୋର ଅଭାବ ଦେଖାଦେଇଛି। ଯାହାକୁ ନେଇ ସାହିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, କାନୁପୁର ପ୍ରକଳ୍ପ ଜରିଆରେ ଏଠାରେ ଏକ ବଡ଼ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଛି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ସାହିବାସୀଙ୍କୁ ନିୟମିତ ଭାବେ ପାନୀୟ ଜଳ ମିଳିପାରୁ ନାହିଁ। ଜଳକଷ୍ଟ ସାଙ୍ଗକୁ ଯାତାୟାତ ସମସ୍ୟା ସ୍ଥିତିକୁ ଅଧିକ ଜଟିଳ କରିଛି। ଲୁଣି ସାହିରୁ ଗ୍ରାମ୍ୟ ମୁଖ୍ୟ ରାସ୍ତାକୁ କୌଣସି ସ୍ଥାୟୀ ପକ୍କା ରାସ୍ତା ନଥିବାରୁ ବିଶେଷ କରି ବର୍ଷାଦିନେ ଏହି ଅଞ୍ଚଳ କାଦୁଅରେ ପଚପଚ ହେଉଛି। ଏହା ଯୋଗୁଁ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଏବଂ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।
ଅଭିଯୋଗ ମୁତାବକ, ସାହିରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ନଥିବାରୁ ସଞ୍ଜ ନଇଁଲେ ସାରା ଅଞ୍ଚଳ ଅନ୍ଧାରରେ ବୁଡ଼ି ରହୁଛି। ଫଳରେ ରାତ୍ରିକାଳୀନ ଯାତାୟାତ ସମୟରେ ବିପଦ ଆଶଙ୍କା ଲାଗି ରହୁଛି। ଏହା ସହିତ ସାହିରେ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା ନଥିବାରୁ ସ୍ୱଚ୍ଛତା ସମ୍ବନ୍ଧୀୟ ବଡ଼ ସମସ୍ୟା ସୃଷ୍ଟି ହୋଇଛି, ଯାହା ମହିଳା ଓ ଶିଶୁଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜାଉଛି। ନିଜର ହସଖୁସିର ଭିଟାମାଟିକୁ ବିକାଶ ନାଁରେ ତ୍ୟାଗ କରିଥିବା ଏହି ବିସ୍ଥାପିତ ପରିବାରଗୁଡ଼ିକ ଏବେ ପ୍ରଶାସନର ଦେଖାଶୁଣା ଅଭାବରୁ ଅସହାୟ ଅନୁଭବ କରୁଛନ୍ତି। ତୁରନ୍ତ ଏହି ଅଞ୍ଚଳର ଓଭରହେଡ୍ ପାଣି ଟାଙ୍କିକୁ କାର୍ଯ୍ୟକ୍ଷମ କରିବା ସହ ସ୍ଥାୟୀ ରାସ୍ତା ନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ଏବଂ ପର୍ଯ୍ୟାପ୍ତ ଶୌଚାଳୟର ସୁବିଧା ଯୋଗାଇ ଦେବାକୁ ଲୁଣି ସାହିବାସୀ ଦୃଢ଼ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta