
କେନ୍ଦ୍ରାପଡା , 15 ସେପ୍ଟେମ୍ବର (ହି.ସ.)ରାଜ୍ୟ ସରକାରଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆଇନ୍ ଉପରେ ଆଇନ୍ ଲଦି ଦେଉଥିବାବେଳେ ସ୍ଥାନୀୟ ଅଂଚଳର ପ୍ରଶାସନ ଏହାକୁ ଲାଗୁ କରୁନାହାନ୍ତି ଯାହାଫଳରେ ଦିନକୁ ଦିନ ଶବ୍ଦ ପ୍ରଦୂଷଣ ବଢିବାରେ ଲାଗିଛି । ବିଭିନ୍ନ ସଭା ସମିତି, ପର୍ବ ପର୍ବାଣୀ, ଶୋଭାଯାତ୍ରା ଓ ଭସାଣୀ ପୂଜା ମଣ୍ଡପରେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ମାଇକ୍ ବଜାଇବା ପାଇଁ (ଲାଉଡ୍ ସ୍ପିକର୍) ବଜାଇବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅନୁମତି ନେଇଥିବା ବ୍ୟାଣ୍ଡ ପାର୍ଟି ମାଲିକମାନେ ମନ ମୁତାବକ ଗୋଟିଏ ଗାଡିରେ ପ୍ରାୟ ୩୦ ରୁ ୪୦ ବଡ ବଡ ସାଉଣ୍ଡ ବକ୍ସ ଲଗାଇ ୬୫ ଡେସବିଲ୍ ପରିବର୍ତ୍ତେ ଦୁଇ ଶହରୁ ଉର୍ଦ୍ଧ୍ୱ ଡେସିବିଲରେ ବଜାଉଥିବାରୁ ସ୍କୁଲ୍, କୋର୍ଟ, କଚେରୀ, ଚିକିତ୍ସାଳୟ, ମନ୍ଦିର, ମସଜିଦ୍, ଚର୍ଚ୍ଚ ଇତ୍ୟାଦିରେ ଭକ୍ତଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଭସାଣୀ ସମୟରେ ମାତ୍ରାଧିକ ବକ୍ସ ବ୍ୟବହାର କରି ବଜାଉଥିବାରୁ ଏହାର ସାଉଣ୍ଡ ପ୍ରଦୂଷଣରେ ଦୁଇଜଣ ମୃତ୍ୟୁବରଣ କରିଥିବା ମଧ୍ୟ ଅଭିଯୋଗ ହେଉଛି । ଏଭଳି ପରିସ୍ଥିତିରେ ଅନୁମତି ଦେବା ସମୟରେ ଏବଂ ଅନୁମତି ପତ୍ରକୁ ଦିଆଯାଇଥିବା ଆଦେଶ ହିସାବରେ କାମ କରୁନଥିବା ବ୍ୟାଣ୍ଡ ପାର୍ଟି ମାଲିକ ବିରୁଦ୍ଧରେ ଓ ଅନୁମତି ନେଇଥିବା ଅନୁଷ୍ଠାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ରବି