କୋରାପୁଟର ମାଟିରୁ ବିଶ୍ଵ ମଞ୍ଚକୁ ‘ମାଳିପୁଟ ମେଲୋଡି’ : ବୈପାରୀଗୁଡାର ଦୁର୍ଗମ ଅଞ୍ଚଳର ପୁଅ ସନାଙ୍କ ଅଭିନୟକୁ ନେଇ ଚର୍ଚ୍ଚା
ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)- କୋରାପୁଟର ମାଟି, ପାହାଡ଼, ଜଙ୍ଗଲ ଓ ଗ୍ରାମୀଣ ଜୀବନକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡି’ ଏବେ ଚର୍ଚ୍ଚାର ଶୀର୍ଷରେ। ବିଶ୍ୱର ବିଭିନ୍ନ ଚଳଚ୍ଚିତ୍ର ମଞ୍ଚରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ଆସନ୍ତା ୧୮ ସେପ୍ଟେମ୍ବରରୁ ଓଡ଼ିଶାର ବିଭିନ୍ନ
କୋରାପୁଟର ମାଟିରୁ ବିଶ୍ୱ ମଞ୍ଚକୁ ‘ମାଳିପୁଟ ମେଲୋଡି’ ବୈପାରୀଗୁଡାର ଦୁର୍ଗମ ଅଞ୍ଚଳର ପୁଅ ସନାଙ୍କ ଅଭିନୟକୁ ନେଇ ଚର୍ଚ୍ଚା


ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)- କୋରାପୁଟର ମାଟି, ପାହାଡ଼, ଜଙ୍ଗଲ ଓ ଗ୍ରାମୀଣ ଜୀବନକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡି’ ଏବେ ଚର୍ଚ୍ଚାର ଶୀର୍ଷରେ। ବିଶ୍ୱର ବିଭିନ୍ନ ଚଳଚ୍ଚିତ୍ର ମଞ୍ଚରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ଆସନ୍ତା ୧୮ ସେପ୍ଟେମ୍ବରରୁ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର କାହାଣୀ ସହ ଏଥିରେ ଅଭିନୟ କରିଥିବା ବୈପାରୀଗୁଡା ବ୍ଲକର ଦୁର୍ଗମ ଅଞ୍ଚଳର ପୁଅ ସନା ଖେମୁଣ୍ଡୁଙ୍କୁ ନେଇ ମଧ୍ୟ ଅଞ୍ଚଳରେ ଉତ୍ସାହ ଦେଖାଦେଇଛି। କିଛି ବର୍ଷ ପୂର୍ବେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଜଣେ ଡାକ୍ତର ମ୍ୟାଲେରିଆ ନିରାକରଣ ପାଇଁ କରିଥିବା ସଂଘର୍ଷର ବାସ୍ତବ କାହାଣୀକୁ ନେଇ ନିର୍ମିତ ‘ଦମନ’ ଚଳଚ୍ଚିତ୍ର ଓଡ଼ିଶା ସମେତ ସାରା ଦେଶରେ ଦର୍ଶକଙ୍କ ମନ ଜିଣିଥିଲା। ଏବେ ଦକ୍ଷିଣ ଓଡ଼ିଶାର ଗାଁ ଜୀବନ, ଲୋକଙ୍କ ସଂଘର୍ଷ ଓ ସ୍ୱପ୍ନକୁ ନେଇ ‘ମାଳିପୁଟ ମେଲୋଡି’ ଏକ ଭିନ୍ନ ଧରଣର କାହାଣୀ ନେଇ ପରଦାକୁ ଆସୁଛି। ଚଳଚ୍ଚିତ୍ରର କାହାଣୀରେ ଗ୍ରାମୀଣ ଜୀବନର ବାସ୍ତବତା, ପରିବାର, ବନ୍ଧୁତ୍ୱ, ଆଶା, ନିରାଶା, ପରମ୍ପରା ଓ ଜୀବନ ସଂଘର୍ଷକୁ ସ୍ଥାନ ଦିଆଯାଇଛି। କାହାଣୀକୁ ଅଧିକ ବାସ୍ତବ ଓ ଜୀବନ୍ତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମଧ୍ୟ ଅଭିନୟରେ ସାମିଲ କରାଯାଇଛି। ଏହି କ୍ରମରେ ବୈପାରୀଗୁଡା ବ୍ଲକର ଦୁର୍ଗମ ଅଞ୍ଚଳର ସନା ଖେମୁଣ୍ଡୁଙ୍କୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟର ସୁଯୋଗ ମିଳିଛି। ଦୁଃଖକଷ୍ଟ ମଧ୍ୟରେ ପାଠପଢ଼ା ଜାରି ରଖୁଥିବା ସନାଙ୍କୁ ଚଳଚ୍ଚିତ୍ରରେ ପରିବାରର ଛୋଟ ପୁଅ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ନିଜ ଜୀବନର ସଂଘର୍ଷ ସହ ଚରିତ୍ରର ସାମଞ୍ଜସ୍ୟ ଥିବାରୁ ଅଭିନୟଟି ଅଧିକ ସ୍ୱାଭାବିକ ହୋଇପାରିଛି।

ସନାଙ୍କୁ ଏହି ଅଭିନୟର ସୁଯୋଗ ଦେଇଥିବା ଶିକ୍ଷକ ନିଶାନ ପଟ୍ଟନାୟକ ତାଙ୍କ ପ୍ରତିଭା ଓ ଜୀବନ ସଂଘର୍ଷକୁ ଚିହ୍ନଟ କରିଥିଲେ। ଚଳଚ୍ଚିତ୍ରର କାହାଣୀ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ଜଣେ ସାଧାରଣ ଛାତ୍ରଙ୍କ ସ୍ୱପ୍ନ ଓ ସଂଘର୍ଷକୁ ବଡ଼ ପରଦାରେ ଉପସ୍ଥାପନ କରାଯାଇଛି। ବର୍ତ୍ତମାନ ସନା କୋରାପୁଟ ସରକାରୀ ମହାବିଦ୍ୟାଳୟରେ +୩ ପଢ଼ୁଛନ୍ତି। ଏକ ଦୁର୍ଗମ ଗାଁରୁ ଆସି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ଏବଂ ଚଳଚ୍ଚିତ୍ରଟି ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଶଂସା ପାଇବା ସନାଙ୍କ ପାଇଁ ଏକ ବଡ଼ ସଫଳତା। ଏଥିପାଇଁ ସନା ବୈପାରୀଗୁଡା ବ୍ଲକ ତଥା କୋରାପୁଟ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ‘ମାଳିପୁଟ ମେଲୋଡି’ ୫୬ତମ ଆଇଏଫଏଫଆଇ ଗୋଆର ଭାରତୀୟ ପାନରମା ରେ ଏକମାତ୍ର ଓଡ଼ିଆ ଫିଚର ଫିଲ୍ମ ଭାବେ ଚୟନ ହେବା ସହ ଦେଶ ଓ ବିଦେଶର ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି। ଲସ୍ ଆଞ୍ଜେଲସ୍ ର ଅନ୍ତର୍ଜାତୀୟ ଚଳଚିତ୍ର ପ୍ରଦର୍ଶନି ଉତ୍ସବରେ ଶ୍ରେଷ୍ଠ ଚଳଚିତ୍ର ଭାବର ବ୍ରୋଞ୍ଜ ପୁରସ୍କାର ହାସଲ କରିଥିବା ଏହି ଚଳଚ୍ଚିତ୍ର ଏବେ ଓଡ଼ିଆ ଦର୍ଶକଙ୍କ ନିକଟକୁ ଆସୁଛି। କୋରାପୁଟର ମାଟିରୁ ବିଶ୍ୱ ମଞ୍ଚ ପର୍ଯ୍ୟନ୍ତ ‘ମାଳିପୁଟ ମେଲୋଡି’ର ଯାତ୍ରା ଏବଂ ଏଥିରେ ବୈପାରୀଗୁଡାର ପୁଅ ସନାଙ୍କ ଅଭିନୟ ଏବେ ସ୍ଥାନୀୟ ଅଞ୍ଚଳରେ ଗର୍ବ ଓ ଉତ୍ସାହର ବିଷୟ ପାଲଟିଛି। ସନାଙ୍କ ଏହି ସଫଳତା ପାଇଁ କୋରାପୁଟ ବିଧାୟକ ରଘୁରାମ ମାଛ ସ୍ଥାନୀୟ ଜିଲ୍ଲା ପରିଷଦ ରାଜେଶ୍ୱର ମହୁରିଆ ଶୁଭେଚ୍ଛା ଜଣାଇବା ସହ ବୈପାରୀଗୁଡା ପାଇଁ ଏହା ଗର୍ବ ବୋଲି କହିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande