




ସମ୍ବଲପୁର, ୧୫ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବନଶାଜାଲ ସ୍ଥିତ ପ୍ରସିଦ୍ଧ ଐତିହାସିକ ତଥା ମହାଭାରତ କାଳୀନ ଶୁଣାଣୀ ପାହାଡ଼ରେ ମାଁ ଶୁଆଣୀ ଦେବୀଙ୍କ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଆଜି ସକାଳେ ଘୋଷଘାଂଟିଠାରୁ ଶୁଆଣୀ ମନ୍ଦିର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଏକ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା ।
ପ୍ରତିବର୍ଷ ଭାଦ୍ରବ ମାସରେ ଏଠାରେ ମାଁ’ଙ୍କ ପୂଜାର୍ଚ୍ଚନା ହୋଇଥାଏ। ଚଳିତ ବର୍ଷ ଆଖପାଖ ଅଂଚଳ ସମେତ ବହୁ ଦୂରଦୂରାନ୍ତରୁ ମଧ୍ୟ ସହସ୍ରାଧିକ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଦେଖିବାକୁ ମିଳିଛି। ମାଁଙ୍କ ପୂଜା ଶେଷ ହେବାପରେ ଭକ୍ତଙ୍କ ପାଇଁ ଗଣପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମାଁ' ଶୁଆଣୀ ଦେବୀ ଏହି ଅଂଚଳର ଅଧିଷ୍ଠାତ୍ରୀ ଦେବୀ ଭାବେ ଆବାହମାନ କାଳରୁ ପୂଜିତ ହୋଇଆସୁଛନ୍ତି। ମା’ଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଆସିଛି। ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଆଜି ପୂଜା ସମ୍ପନ୍ନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ