
ଡିଜିଟାଲ ପରିବର୍ତ୍ତନ ସାମ୍ବାଦିକତାକୁ ପୁନଃପରିଭାଷିତ କରୁଛି; ବିଶ୍ୱସନୀୟତା ଓ ନୈତିକତା ଅଧିକ ଗୁରୁତ୍ୱପୂର୍ଣ୍ଣ: ଶ୍ରୀ ଅଖିଳ କୁମାର ମିଶ୍ର
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.) : କେରଳମ୍, ରାଜସ୍ଥାନ ଓ ପଞ୍ଜାବରୁ ଆସିଥିବା ସାମ୍ବାଦିକ ପ୍ରତିନିଧି ଦଳ ସହ ଆଜି ପିଆଇବି ଭୁବନେଶ୍ୱରଠାରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକମାନେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)
ଅଧିକାରୀମାନଙ୍କ ସହ ସମସାମୟିକ ଗଣମାଧ୍ୟମ ପ୍ରେକ୍ଷାପଟ୍ଟ ଓ ସାମ୍ବାଦିକତାର ପରିବର୍ତ୍ତିତ ସ୍ୱରୂପ ଉପରେ ମତ ବିନିମୟ କରିଥିଲେ।
ଏହି ଅବସରରେ ପିଆଇବି ଓ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଡିଜିଟାଲ ଯୁଗରେ ସାମ୍ବାଦିକତାର ଦ୍ରୁତ ପରିବର୍ତ୍ତନ ଏବଂ ଏହା ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସାମ୍ବାଦିକତା ନିଜର ପରିଚୟ ଓ ସମାଜରେ ଏହାର ଭୂମିକାକୁ ନେଇ ଏକ ଅସ୍ତିତ୍ୱଗତ ସଙ୍କଟ ଦେଇ ଗତି କରୁଛି। ପ୍ରାୟ ଦୁଇ-ତୃତୀୟାଂଶ ଖବର ଉପଭୋକ୍ତା ସୋସିଆଲ ମିଡିଆ ଫିଡ୍ ମାଧ୍ୟମରେ ଖବର ପାଉଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ଗଣମାଧ୍ୟମ ଓ ସୋସିଆଲ ମିଡିଆର ବଢୁଥିବା ସମନ୍ୱୟ ପାରମ୍ପରିକ ସାମ୍ବାଦିକତାର ମୂଲ୍ୟବୋଧ ଓ କାର୍ଯ୍ୟପଦ୍ଧତିକୁ ନୂଆ ରୂପ ଦେଉଛି। ପରିବର୍ତ୍ତିତ ପରିବେଶ ସହ ଖାପ ଖୁଆଇବା ସହିତ ସାମ୍ବାଦିକତାର ମୌଳିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ। ସେ ନିଷ୍ଠା ଭଳି ପାରମ୍ପରିକ ମୂଲ୍ୟବୋଧ ଓ ପରିବର୍ତ୍ତିତ ଗଣମାଧ୍ୟମ ପରିବେଶର ଚାହିଦା ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଜୋର ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଖବରର ମୁଖ୍ୟଚରିତ୍ର ବା ଖବର ସୃଷ୍ଟିକାରୀ, ସାମ୍ବାଦିକ, ସମ୍ପାଦକ, ପାଠକ ବା ଦର୍ଶକ ଏବଂ ବିତରକଙ୍କ ଭୂମିକା ମଧ୍ୟରେ ଥିବା ସୀମାରେଖା କ୍ରମଶଃ ଅସ୍ପଷ୍ଟ ହେଉଥିବାରୁ ପେସାଦାର ନୈତିକତା, ବିଶ୍ୱସନୀୟତା ଓ ସାମ୍ବାଦିକଙ୍କ ଦାୟିତ୍ୱ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।
କାର୍ଯ୍ୟକ୍ରମରେ କେରଳମ୍ ପିଆଇବିର ଉପ ନିର୍ଦ୍ଦେଶିକା ଡ. ଅଥିରା ଥାମ୍ପି, ପିଆଇବି ଜୟପୁରର ଉପନିର୍ଦ୍ଦେଶକ ଶ୍ରୀ ଧର୍ମେଶ ଭାରତୀ ଏବଂ ପଞ୍ଜାବ ପିଆଇବିର ନିର୍ଦ୍ଦେଶକ ଶ୍ରୀ ପ୍ରୀତମ ସିଂହ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଆଗତ ସାମ୍ବାଦିକ ପ୍ରତିନିଧି ଦଳକୁ ସ୍ୱାଗତ କରାଯିବା ସହ ତିନିଟି ରାଜ୍ୟର ସାମ୍ବାଦିକମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପଦକ୍ଷେପର ମହତ୍ତ୍ୱ ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ରାଜ୍ୟ ଓ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ, ପାରସ୍ପରିକ ବୁଝାମଣା ଓ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଏହି ପଦକ୍ଷେପର ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଶେଷରେ ବିଭିନ୍ନ ସାଂପ୍ରତିକ ଘଟଣାବଳୀ, ନୂଆ ଧାରା ଏବଂ ଡିଜିଟାଲ ଯୁଗରେ ସାମ୍ବାଦିକଙ୍କ ଦାୟିତ୍ବ ଆଦି ପ୍ରସଙ୍ଗରେ ପିଆଇବି ଅଧିକାରୀମାନଙ୍କ ସହ ଆଗତ ସାମ୍ବାଦିକ ପ୍ରତିନିଧି ଦଳର ସଦସ୍ୟମାନେ ମତବିନିମୟ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ