ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ଲାଗିଲା ନବାନ୍ନ
ଶତାଧିକ ଭକ୍ତଙ୍କ ସାମୁହିକ ନବାନ୍ନ ଗ୍ରହଣ
ଶତାଧିକ ଭକ୍ତଙ୍କ ସାମୁହିକ ନବାନ୍ନ ଗ୍ରହଣ୧


ଶତାଧିକ ଭକ୍ତଙ୍କ ସାମୁହିକ ନବାନ୍ନ ଗ୍ରହଣ


ବୌଦ୍ଧ, ୧୫ ସେପ୍ଟେମ୍ବର (ହି.ସ.)- ନୂଆଖାଇ ଅବସରରେ ଆଜି ସମଗ୍ର ବୌଦ୍ଧ ଜିଲ୍ଲା ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡ଼ିଶାର ପ୍ରବେଶ ଦ୍ୱାରା ହେଲା ବୌଦ୍ଧ l ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ଆଜି ସକାଳ ୯ଟା ୪୫ ସମୟରେ ନବାନ୍ନ ଲାଗି କରାଯାଇଛି l ଏହି ଅବସରରେ ଏକ ସାଙ୍ଗରେ ଶହ ଶହ ଭକ୍ତ ନବାନ୍ନ ଭୋଗ ଗ୍ରହଣ କରିଛନ୍ତି l ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ଧାର୍ଯ୍ୟ ଲଗ୍ନରେ ନବାନ୍ନ ଲାଗି କରାଯାଇଥିଲା । ମହାନଦୀରେ ପୁଜା କରି ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ଅଣାଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୁଜକ ଗୌରି ପ୍ରସାଦ ବଡମାଳି, ପାଳିଆ ପୂଜକ ତରଣୀ ବଡମାଳି ବିଧି ନିୟମ ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିବା ପରେ ପାର୍ଶ୍ୱ ଦେବାଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ ।

ଏହି ଅବସରରେ ମନ୍ଦିର ଚୁଡାରେ ନୂତନ ଧ୍ବଜା ଲାଗିଥିଲା l ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତ ମାନେ ସାମୁହିକ ଭାବେ ଦେବୀଙ୍କ ନବାନ୍ନ ସେବନ କରିଥିଲେ । ଜିଲାପାଳ ବିଭୁତି ଭୂଷଣ ନାୟକ ଯୋଗଦେଇ ପୂଜା କରିଥିଲେ, ପରେ ଭକ୍ତମାନଙ୍କ ସହ ମିଶି ନବାନ୍ନ ସେବନ କରିଥିଲେ l ପୁଜା କାର୍ଯ୍ୟରେ ବିଭୂତି ଭୂଷଣ ବଡମାଳି, ସାନନ୍ଦ ବଡମାଳି, ଧନେଶ୍ୱର ବଡମାଳି, ବିଶୁ ବଡମାଳି, ରାଜା ବଡମାଳି, ଏକା ବଡ଼ମାଳି, ହରିହର ବଡ଼ମାଳି ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଅମର ସାହୁ, ସମ୍ପଦ ଅଗ୍ରୱାଲ, ହରେଷ ନାୟକ, ଆଲୋକ ମହାପାତ୍ର, ବିଜୟ ମିଶ୍ର, ଶମ୍ଭୁ ପ୍ରସାଦ ମହାକୁଳଙ୍କ ସମତେ ଅନ୍ୟମାନେ ପରିଚାଳନା କରିଥିଲେ l ଗଣମାଧ୍ୟମ ପ୍ରତିନିଧି ଓ ଶତାଧିକ ଭକ୍ତ ସାମିଲ ହୋଇଥିଲେ । ନୂଆଖାଇ – ଏକ ମିଳନର ପର୍ବ । ଗରିବ ଠାରୁ ଧନିକ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏକ ଭାଇଚାରାର ପର୍ବ । ଭେଦଭାବ ଭୁଲି ଭାଇ ଭାଇ, ପରିବାରର ସମସ୍ତ ସଦସ୍ୟ ଏକ ହୁଅନ୍ତି ନୂଆଖାଇ ପାଳିବା ପାଇଁ । ସେହିପରି ସହର ହେଉ କି ଗ୍ରାମ ହେଉ ସାଙ୍ଗ ସାଥୀ, ପଡାବାସୀ, ଗ୍ରାମବାସୀ ସମସ୍ତେ ମିଳିମିଶି ପାଳନ କରନ୍ତି ନୂଆଖାଇ । ଏକତ୍ର ହୁଅନ୍ତି ଭେଦଭାବ, ରାଗରୁଷ ମାନଅଭିମାନ ସବୁ ଭୁଲି । ଘର ଘରେ, ଗାଁ ଗାଁରେ ଢ଼ିଙ୍କିକୁଟା ନୂଆ ଚାଉଳରେ ଭାତ, ଖିରୀ, ଜୁଖା ତିଆରି ହୋଇଛି ନବାନ୍ନ ପାଇଁ । ତା' ସହିତ ହୋଇଛି ଭୋଜିଭାତର ଆସର । ସମସ୍ତଙ୍କ ଘରେ କୁଣିଆ, ବନ୍ଧୁବାନ୍ଧବରେ ଭରପୁର । ବାହାରେ କାମ କରୁଥିବା ଲୋକେ ସପରିବାର ଗାଁ କୁ ଆସି ନୂଆଖାଇରେ ସାମିଲ ହୋଇଛନ୍ତି । ଗ୍ରାମଦେବାଦେବୀଙ୍କ ଠାରେ ନବାନ୍ନ ଲାଗି କରିବା ପରେ ସମସ୍ତେ ନବାନ୍ନ ଗ୍ରହଣ କରିଛନ୍ତି । ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୋଇଥିଲା ଭେଟଘାଟ ଓ ଜୁହାରମୁଣ୍ଡିଆର ପର୍ବ । ସାନ ମାନେ ବଡ ମାନଙ୍କୁ ମୁଣ୍ଡିଆ ମାରିବା ସହ ଆର୍ଶିବାଦ ଭିକ୍ଷା କରିଥିଲେ ଓ ନିଜ ନିଜ ଭିତରେ ଶୁଭେଚ୍ଛାର ଆଦାନ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande