
ବିଲନିଅସ, ୧୫ ସେପ୍େଟମ୍ବର (ହି.ସ.)- ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ବାଲ୍ଟିକ ଅଂଚଳରେ ବଢୁଥିବା ଉତେଜନା ମଧ୍ୟରେ ଲିଥୁଆନିଆର ବାୟୁସୀମାରେ ପ୍ରବେଶ କରିଥିବା ଏକ ଅଜ୍ଞାତ ଡ୍ରୋନକୁ ନାଟୋର ଯୁଦ୍ଧବିମାନ ମାରି ଖସାଇଦେଇଛି। ଲିଥୁଆନିଆର ରାଷ୍ଟ୍ରପତି ଗିତାନାସ ନୌସେଦା ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି ଏବଂ ନାଟୋର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି।
ରୁଷୀୟ ଟେଲିଭିଜନ ନେଟୱର୍କ ରଶିଆ ଟୁଡେ ଏବଂ ତୁର୍କିଏର ସରକାରୀ ସମ୍ବାଦ ଏଜେନ୍ସି ଅନାଡୋଲୁ ଅନୁଯାୟୀ, ନୌସେଦା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ନାଟୋର ଫାଇଟର ଜେଟ୍ଗୁଡ଼ିକ ଲିଥୁଆନିଆର ବାୟୁସୀମାରେ ପ୍ରବେଶ କରିଥିବା ଡ୍ରୋନକୁ ଧ୍ୱଂସ କରିଦେଇଛନ୍ତି। ନାଟୋ କର୍ମଚାରୀମାନଙ୍କୁ ସେମାନଙ୍କର “ତ୍ୱରିତ କାର୍ଯ୍ୟାନୁଷ୍ଠାନ” ପାଇଁ ଧନ୍ୟବାଦ ଦେଇ ସେ କହିଛନ୍ତି ଯେ ୟୁକ୍ରେନ ବିରୋଧରେ ରୁଷର ଜାରି ଆକ୍ରମଣ ମଧ୍ୟରେ ଅଂଚଳର ସୁରକ୍ଷା ପାଇଁ ଏଭଳି ପ୍ରସ୍ତୁତି ଅତ୍ୟନ୍ତ ଆବଶ୍ୟକ। ସେ କହିଛନ୍ତି ଯେ ନିଜର ନାଟୋ ସହଯୋଗୀମାନଙ୍କ ସହ ମିଶି ଲିଥୁଆନିଆ ନିଜ ବାୟୁସୀମାର ସୁରକ୍ଷା କରିବ।
ଲିଥୁଆନିଆର ନ୍ୟାସନାଲ କ୍ରାଇସିସ ମ୍ୟାନେଜମେଂଟ ସେଂଟରର ମୁଖ୍ୟ ୱିଲମାନ୍ତସ ୱିଟକାଉସ୍କାସଙ୍କ ଅନୁଯାୟୀ, ଅଜ୍ଞାତ ୟୁଏଭି ମଧ୍ୟରାତ୍ରି ପରେ ଠିକ୍ ଲିଥୁଆନିଆର ବାୟୁସୀମାରେ ପ୍ରବେଶ କରିଥିଲା। ପ୍ରାୟ ୩୦ ମିନିଟ ପରେ ରାଜଧାନୀ ବିଲନିଅସର ପଶ୍ଚିମରେ ଅବସ୍ଥିତ ପ୍ରାତକୁନାଇ ଗାଁ ନିକଟ ଏକ ଗ୍ରାମୀଣ ଅଂଚଳରେ ନାଟୋର ଯୁଦ୍ଧବିମାନ ଏହାକୁ ମାରି ଖସାଇଦେଇଥିଲା।
ବିଟକାଉସ୍କାସ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଟିମ୍ଗୁଡ଼ିକୁ ଘଟଣାସ୍ଥଳକୁ ପଠାଯାଇଛି। ତଦନ୍ତରେ ଡ୍ରୋନଟି କେଉଁ ପ୍ରକାରର ଥିଲା, ଏହାର କ୍ଷମତା କ’ଣ ଥିଲା ଏବଂ ଏହାର ଉଦ୍ଦେଶ୍ୟ କ’ଣ ଥିଲା, ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ଲିଥୁଆନିଆର ଗଣମାଧ୍ୟମ ଅନୁଯାୟୀ, ଲିଥୁଆନିଆ ଉପରେ ମାରି ଖସାଯାଇଥିବା ଏହା ପ୍ରଥମ ଡ୍ରୋନ।
----------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ