ସମ୍ବଲପୁରରେ ନୂଆଁଖାଇ ପାଳିଲେ ସାଂସଦ
ନୂଆଁଖାଇରେ ‘ନବାନ୍ନ’ରୁ ଆଗାମୀ ପିଢ଼ିର ‘ପୋଷଣ’ ଦାୟିତ୍ୱ ନେବା - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ୧୪ ସେପ୍ଟେମ୍ବର ୨୦୨୬ - ସମ୍ବଲପୁର ଗସ୍ତରେ ଥିବା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ‘ନୂଆଁଖାଇ-୨୦୨୬’ ଅବସରରେ ନିଜ ସଂସଦୀୟ କ୍ଷେତ୍ରରେ ନବାନ୍ନ ସେବନ
ସମ୍ବଲପୁରରେ ନୂଆଁଖାଇ ପାଳିଲେ ସାଂସଦ


ନୂଆଁଖାଇରେ ‘ନବାନ୍ନ’ରୁ ଆଗାମୀ ପିଢ଼ିର ‘ପୋଷଣ’ ଦାୟିତ୍ୱ ନେବା - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୪ ସେପ୍ଟେମ୍ବର ୨୦୨୬ - ସମ୍ବଲପୁର ଗସ୍ତରେ ଥିବା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ‘ନୂଆଁଖାଇ-୨୦୨୬’ ଅବସରରେ ନିଜ ସଂସଦୀୟ କ୍ଷେତ୍ରରେ ନବାନ୍ନ ସେବନ କରି ଏହି ଗଣପର୍ବକୁ ପାଳନ କରିବା ସହ ନବାନ୍ନରୁ ଆଗାମୀ ପିଢ଼ିର ପୋଷଣ ଦାୟିତ୍ୱ ନେବା ପାଇଁ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ପ୍ରଧାନ ଆଜି ପ୍ରଥମେ ସମ୍ବଲପୁରର ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ବାସଭବନରେ ପହଞ୍ଚି ପରିବାର ସଦସ୍ୟଙ୍କ ସହ ଏକାଠି ବସି 'ନବାନ୍ନ' ଗ୍ରହଣ କରିଥିଲେ । ପରେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସରରେ ଦେଶ-ବିଦେଶରୁ ଆସିଥିବା ପ୍ରତିନିଧିମଣ୍ଡଳୀ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରଙ୍ଗବତୀ ଫୋରମର ସଦସ୍ୟ, ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ବନ୍ଧୁମାନଙ୍କ ସହ ‘ନବାନ୍ନ’ ସେବନ କରିଥିଲେ । ନବାନ୍ନ ଗ୍ରହଣ ପରେ ଶ୍ରୀ ପ୍ରଧାନ 'ରଙ୍ଗବତୀ ଫୋରମ୍' ଦ୍ୱାରା ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମଣ୍ଡଳୀଙ୍କ ସହ ନୂଆଁଖାଇର ମହତ୍ତ୍ୱ, ସରସତିଆ ଓ ସ୍ଥାନୀୟ ସମ୍ଭାବନା ଉପରେ ଅଭିଭାଷଣ ରଖିଥିଲେ । ସମ୍ବଲପୁର ଜିଲ୍ଲା ସମେତ ଆଖପାଖ ଅଞ୍ଚଳର କଳା, ସଂସ୍କୃତି ଓ ପର୍ଯ୍ୟଟନକୁ ଅନୁଭବ କରିବା ସହ ସେ ବିଷୟରେ ଜାଣିବା ଏବଂ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୟରେ ‘ମାରୱାଡ଼ି ଯୁବା ମଞ୍ଚ’, ଓଡ଼ିଶା ସାଂସ୍କୃତିକ ସମାଜ ସମେତ ଅନେକ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଆୟୋଜିତ ‘ନୂଆଁଖାଇ ଭେଟଘାଟ୍-୨୦୨୬’ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ ଶ୍ରୀ ପ୍ରଧାନ ।

ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ନୂଆଁଖାଇ କେବଳ ଏକ ପର୍ବ ନୁହେଁ ; ଏହା ଆମ ସଂସ୍କୃତିର ପ୍ରତୀକ ଏବଂ ସଂସ୍କାରର ଅବିଚ୍ଛେଦ୍ୟ ଅଙ୍ଗ । ନୂଆଁଖାଇ ହେଉଛି ପାରସ୍ପରିକ ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନର ଏକ ଅନନ୍ୟ ମହାମିଳନ । ଏହି ଦିନ ଦେଶ-ବିଦେଶରେ ରହୁଥିବା ଆମର ଭାଇ-ଭଉଣୀମାନେ ନିଜ ମାଟିକୁ, ନିଜ ଗାଁକୁ ଫେରିଆସନ୍ତି । ସମସ୍ତେ ଏକାଠି ବସି ମା' ସମଲେଶ୍ୱରୀ, ମା' ପାଟଣେଶ୍ୱରୀ, ମା' ସୁରେଶ୍ୱରୀ ଏବଂ ଇଷ୍ଟଦେବୀଙ୍କ ନିକଟରେ ଲାଗି ହୋଇଥିବା ପ୍ରଥମ ଶସ୍ୟ 'ନବାନ୍ନ' ଗ୍ରହଣ କରନ୍ତି । ଏହି ସାମାଜିକ ବନ୍ଧନ ଓ ପରିବାରର ପ୍ରଥା ହିଁ ଆମ ଓଡ଼ିଆ ସଂସ୍କୃତିର ପ୍ରକୃତ ଶକ୍ତି । ଅନାଦି ଅନନ୍ତ କାଳରୁ ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମଧ୍ୟ ନବାନ୍ନ ଭୋଗ ଲାଗି ହେବାର ପବିତ୍ର ପରମ୍ପରା ରହିଛି, ଯାହା ଆମ କୃଷି ଓ ସଂସ୍କୃତିର ମାନ୍ୟତାକୁ ଦର୍ଶାଉଛି । ଏହି ପବିତ୍ର ଅବସରରେ ଅନ୍ନଦାତା ଚାଷୀ ଭାଇମାନଙ୍କୁ ପ୍ରଣାମ ଜଣାଇଛନ୍ତି ଶ୍ରୀ ପ୍ରଧାନ । କାକର, ଖରା, ବର୍ଷାକୁ ଖାତିର ନକରି ଯେଉଁ କୃଷକ ଭାଇ ନିଜର ପରିଶ୍ରମ ବଳରେ ମାଟିରେ ସୁନା ଫଳାଏ,ସାରା ସମାଜର ପେଟ ପୋଷେ, ସେହି ଚାଷୀ ଭାଇମାନଙ୍କ ନିଷ୍ଠା ଓ ତ୍ୟାଗ ଯୋଗୁଁ ହିଁ ଆମେ ଆଜି ଏହି ଉତ୍ସବ ପାଳନ କରୁଛେ । ଆମର ଏହି ଗଣପର୍ବ ପ୍ରକୃତି ଓ ମାନବ ସଭ୍ୟତା ଭିତରେ ଥିବା ଗଭୀର ସମ୍ପର୍କର ପ୍ରତିଫଳନ।

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ 'ଅନ୍ନର ମହିମା' କାବ୍ୟର ପଂକ୍ତି - “ଅନ୍ନ ଘେନି ରହିଛି ଅଖିଳ ସଂସାର, ଅନ୍ନ ବିନା ଜଗତେ ଉଠେ ହାହାକାର” କୁ ଉଦ୍ଧୃତ କରି ସାଂସଦ କହିଛନ୍ତି ଯେ, ଅନ୍ନ ହିଁ ଜୀବନର ମୂଳ ଆଧାର। ନୂଆଁଖାଇ କେବଳ ପରିବାରକୁ ଏକାଠି କରେନାହିଁ, ବରଂ ସମଗ୍ର ସମାଜକୁ ଏକ ବନ୍ଧନରେ ବାନ୍ଧିଥାଏ । ତେଣୁ ଏହି ସମାଜକୁ ସଶକ୍ତ କରିବାକୁ ହେଲେ ଆମକୁ ଆମ ଭବିଷ୍ୟତ ବା ଭବିଷ୍ୟତର ପିଢିକୁ ସୁରକ୍ଷିତ କରିବାକୁ ହେବ । ଭବିଷ୍ୟତର ପିଢିକୁ ସୁରକ୍ଷିତ ରଖିବା ପାଇଁ ହେଲେ ଆମକୁ ଏବେ ଠାରୁ ନବଜାତ ଶିଶୁ ଓ ଯୁବପିଢିଙ୍କ ପୋଷଣ ଏବଂ ମାଆମାନଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ ନେବାକୁ ପଡିବ ।

ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ଯେ ନୂଆଁଖାଇର ମୂଳ ମହତ୍ତ୍ୱ ହେଉଛି ପ୍ରଥମ ଶସ୍ୟ ବା 'ନବାନ୍ନ' ଗ୍ରହଣ କରିବା, ଯାହା ଆମ ସମାଜ, ସଂସ୍କୃତି ଓ କୃଷିର ମୂଳ ଆଧାର। ଅନ୍ନ ହିଁ ମାନବ ସଭ୍ୟତାର ଅନ୍ୟତମ ବଡ଼ ଆବଶ୍ୟକତା। ଆଜି ଦେଶରେ ଖାଦ୍ୟର ଅଭାବ ନାହିଁ, ମାତ୍ର ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି 'ପୁଷ୍ଟିକର ଖାଦ୍ୟ' ବା ପୋଷଣର ସୁରକ୍ଷା। ସମାଜର ପ୍ରତିଟି ଶିଶୁ ଓ ମା'ଙ୍କୁ 'ପୁଷ୍ଟିକର ଖାଦ୍ୟ' ଯୋଗାଇ ସେମାନଙ୍କ ପୋଷଣ ସୁରକ୍ଷାର ଦାୟିତ୍ୱ ନେବା ହିଁ ନୂଆଁଖାଇର ପ୍ରକୃତ ସାର୍ଥକତା । ଏହି ନୂଆଁଖାଇରେ ଆମେ ସଙ୍କଳ୍ପ ନେବା - ଆମ ଘରକୁ ଆସିଥିବା ଏହି 'ନବାନ୍ନ' ଯେପରି ସମାଜର ପ୍ରତିଟି ଶିଶୁ ଓ ମା'ଙ୍କୁ 'ସୁଷମ ପୋଷଣ' ଯୋଗାଇବ, ତାହାର ଦାୟିତ୍ୱ ନେବା । ଆମେ ଏପରି ଏକ ସମାଜ ଗଢ଼ିବା - ଯେଉଁଠି ପ୍ରତିଟି ଶିଶୁକୁ ପୃଷ୍ଟିକର ଆହାର ମିଳିବ, ପ୍ରତ୍ୟେକ ମା'ଙ୍କ ପାଖରେ ସୁଷମ ଖାଦ୍ୟ ପହଞ୍ଚିପାରିବ ଏବଂପ୍ରତିଟି ପରିବାର ପୋଷଣର ସୁରକ୍ଷା ପାଇପାରିବେ । ଏହି ସାମାଜିକ ସଙ୍କଳ୍ପ ଓ ଭାଗିଦାରୀ ଦ୍ୱାରା ହିଁ ‘ବିକଶିତ ଓଡ଼ିଶାରୁ ବିକଶିତ ଭାରତ’ର ମାର୍ଗ ପ୍ରଶସ୍ତ ହୋଇପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ମା’ସମଲେଶ୍ୱରୀଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande