
ପୁରୀ, 15 ସେପ୍ଟେମ୍ବର (ହି.ସ.)ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ ଏବଂ ପରିବେଶ ସୁରକ୍ଷା ନେଇ ମଙ୍ଗଳବାର ପୁରୀ ବେଳାଭୂମିରେ ଏକ ସଚେତନତା ଅଭିଯାନ ଆୟୋଜିତ ହୋଇଛି। ମିଶନ ଲାଇଫ୍ (LiFE) ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଏକଥର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା।
ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ସେଣ୍ଟର ଫର୍ ଏନଭାଇରନମେଣ୍ଟ ଷ୍ଟଡିଜ୍-ଇଆଇଏସିପି ହବ୍, ନୂଆଦିଲ୍ଲୀସ୍ଥିତ ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଇଆଇଏସ୍ପି ପିସି-ଆର୍ପି ଏବଂ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଏହି ଅଭିଯାନ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମର ଅଂଶସ୍ୱରୂପ ପୁରୀ ବେଳାଭୂମିରେ ଏକ ସଚେତନତା ରଥ ପରିକ୍ରମା କରାଯାଇଥିଲା। ଏଥିସହ ପ୍ଲାଷ୍ଟିକ୍ ବ୍ୟାଗ୍ ବଦଳରେ କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ଆହ୍ୱାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ ପ୍ରଶ୍ନୋତ୍ତର, ଚିତ୍ରାଙ୍କନ ସମେତ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।
ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ, ବିକଳ୍ପ ବ୍ୟାଗ୍ ବ୍ୟବହାର, ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପୁରୀ ସମେତ ବାରିପଦା, କେନ୍ଦ୍ରାପଡ଼ା ଓ କୋରାପୁଟରେ ମଧ୍ୟ ସମାନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ୨୫୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମଗୁଡ଼ିକ ସଂଯୋଜକ ପ୍ରଭାତ ଦାଶ, ସୂଚନା ଅଧିକାରୀ ପ୍ରଶାନ୍ତ ନାୟକ, କାର୍ଯ୍ୟକ୍ରମ ଅଧିକାରୀ ସ୍ୱାଗତିକା ମିଶ୍ର ଏବଂ ଡକ୍ଟର ଜି. ଅରିନ୍ଦ୍ରନ୍ଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ