
୨୦.୪୬ ଲକ୍ଷ ଟଙ୍କାର ପ୍ରକଳ୍ପ ଅବହେଳିତ, ଅନାବନା ଗଛଲତାରେ ଘେରା ଅର୍ଦ୍ଧନିର୍ମିତ କୋଠା
ଝାରସୁଗୁଡ଼ା, 15 ସେପ୍ଟେମ୍ବର (ହି.ସ.)ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଜରିଆରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଉଛି। ତେବେ ଲଖନପୁର ବ୍ଲକ କତରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଖାଡିହି ଗାଁରେ ନିର୍ମାଣାଧୀନ ମିଶନ ଶକ୍ତି ଗୃହ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଧାରେ ପଡ଼ି ରହିଛି। ଫଳରେ ଲକ୍ଷାଧିକ ଟଙ୍କାର ସରକାରୀ ପ୍ରକଳ୍ପର ଉଦ୍ଦେଶ୍ୟ ଅଧୁରା ରହିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସୁଖାଡିହି ଗାଁରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ୨୦ ଲକ୍ଷ ୪୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଲଖନପୁର ପଞ୍ଚାୟତ ସମିତି ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ପରେ ଜଣେ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା।
ତେବେ ନିର୍ମାଣ କାର୍ଯ୍ୟର ଅଧିକାଂଶ ଭାଗ ସରିଥିଲେ ମଧ୍ୟ ଏଯାଏଁ କବାଟ, ଝରକା, ଶୌଚାଳୟ, ଗୃହ ଭିତର ପ୍ଲାଷ୍ଟର ସମେତ ଅନ୍ୟାନ୍ୟ ଜରୁରୀ କାମ ଅସମ୍ପୂର୍ଣ୍ଣ ରହିଛି। ଦୀର୍ଘଦିନ ଧରି ଗୃହଟି ବ୍ୟବହାର ନହୋଇ ପଡ଼ି ରହିଥିବାରୁ ଚାରିପଟେ ଅନାବନା ଗଛଲତା ମାଡ଼ିଯାଇଛି। ଏହା ଏବେ ଏକ ପରିତ୍ୟକ୍ତ ଭୂତକୋଠି ଭଳି ଦେଖାଯାଉଛି।
ସୁଖାଡିହି ଗାଁର ମିଶନ ଶକ୍ତି ସହ ଜଡ଼ିତ ମହିଳାମାନଙ୍କ ବୈଠକ, ସଚେତନତା କାର୍ଯ୍ୟକ୍ରମ ଓ ବିଭିନ୍ନ ସାମୂହିକ କାର୍ଯ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ଗୃହର ଆବଶ୍ୟକତା ରହିଛି। ମାତ୍ର ମିଶନ ଶକ୍ତି ଗୃହଟି ବ୍ୟବହାର ଉପଯୋଗୀ ହୋଇନଥିବାରୁ ମହିଳାମାନେ ଅନ୍ୟ ସ୍ଥାନରେ ବୈଠକ ଓ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହେଉଛନ୍ତି।
ସ୍ଥାନୀୟ ମହିଳା ସଂଗଠନର ସଦସ୍ୟାମାନଙ୍କ କହିବା ଅନୁଯାୟୀ, ଗୃହର ଅବଶିଷ୍ଟ କାମ ଶେଷ କରି ଏହାକୁ ବ୍ୟବହାରଯୋଗ୍ୟ କରିବା ପାଇଁ ବ୍ଲକ ସ୍ତରୀୟ ଅଧିକାରୀ ଓ ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଏକାଧିକ ଥର ଅବଗତ କରାଯାଇଛି। ହେଲେ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ।
ସରକାରୀ ଅର୍ଥରେ ନିର୍ମାଣାଧୀନ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏହି ପ୍ରକଳ୍ପ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିବାକୁ ନେଇ ସ୍ଥାନୀୟ ମହିଳା ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରକଳ୍ପଟି କେବେ ସମ୍ପୂର୍ଣ୍ଣ ହେବ ଏବଂ ମହିଳାମାନଙ୍କ କାମରେ ଆସିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଜିଲ୍ଲା ପ୍ରଶାସନ ଏହି ମାମଲାରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଅର୍ଦ୍ଧନିର୍ମିତ ମିଶନ ଶକ୍ତି ଗୃହର ଅବଶିଷ୍ଟ କାର୍ଯ୍ୟ ତୁରନ୍ତ ଶେଷ କରି ଏହାକୁ ମହିଳାମାନଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ ସୁଖାଡିହି ଗ୍ରାମବାସୀ ଓ ମହିଳା ସଂଗଠନ ପକ୍ଷରୁ ଦାବି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ