
ଝାରସୁଗୁଡ଼ା, ୧୫ ସେପ୍ଟେମ୍ବର (ହି.ସ.)ଅଷ୍ଟମ ଦିନରେ ଛାତ୍ର ସାମ୍ମୁଖ୍ୟର ରିଲେ ଅନଶନ ଜିଲ୍ଲାରେ ଉଚ୍ଚଶିକ୍ଷା ଓ ଚିକିତ୍ସା ଶିକ୍ଷାର ବିକାଶ ସମେତ ବିଭିନ୍ନ ଦାବି ପୂରଣ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଚାଲିଥିବା ରିଲେ ଅନଶନ ମଙ୍ଗଳବାର ଅଷ୍ଟମ ଦିନରେ ପହଞ୍ଚିଛି। ଦାବିଗୁଡ଼ିକ ନେଇ ସରକାର କିମ୍ବା ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଇ ନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
ସାମ୍ମୁଖ୍ୟର ମୁଖ୍ୟ ଦାବି ମଧ୍ୟରେ ଏଲ୍.ଏନ୍. କଲେଜର ସମ୍ପୂର୍ଣ୍ଣ ସରକାରୀକରଣ, ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟକୁ ଯାନ୍ତ୍ରିକ କଲେଜରେ ପରିଣତ କରିବା, ୧୯ ଖଣ୍ଡ ମୌଜା ଅଞ୍ଚଳରେ ସରକାରୀ ଡିଗ୍ରୀ କଲେଜ ସ୍ଥାପନ ଏବଂ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଅନ୍ୟତମ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମଧ୍ୟ ଆନ୍ଦୋଳନକାରୀମାନେ ଘରକୁ ନଯାଇ ଅନଶନସ୍ଥଳରେ ନବାର୍ଣ୍ଣ ଭକ୍ଷଣ କରି ପର୍ବ ପାଳନ କରିଥିଲେ। ମହାତ୍ମା ଗାନ୍ଧୀ ଓ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଛାତ୍ର ସାମ୍ମୁଖ୍ୟର କାର୍ଯ୍ୟକର୍ତ୍ତାଙ୍କ ସହ ବହୁ ବୁଦ୍ଧିଜୀବୀ ଏକାଠି ହୋଇ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ା ଏକ ଶିଳ୍ପସମୃଦ୍ଧ ଜିଲ୍ଲା ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷା ଓ ଚିକିତ୍ସା ଶିକ୍ଷା ପାଇଁ ଆବଶ୍ୟକ ସରକାରୀ ଅନୁଷ୍ଠାନର ଅଭାବ ରହିଛି। ତେଣୁ କେବଳ ପ୍ରତିଶ୍ରୁତି ନଦେଇ ଦାବିଗୁଡ଼ିକ ଉପରେ ସରକାର ତୁରନ୍ତ ଠୋସ୍ ନିଷ୍ପତ୍ତି ନେବାକୁ ସାମ୍ମୁଖ୍ୟ ଦାବି କରିଛି।
ଅନଶନସ୍ଥଳରେ ସାମ୍ମୁଖ୍ୟ ସଭାପତି ଅସୀମ ପଟେଲ, ସଂଗଠନ ସମ୍ପାଦକ ଜିତେନ୍ଦ୍ରିୟ ଧୁରୁଆ, ଉପସଭାପତି ରବି ରୋହିଦାସ, ସାଧାରଣ ସମ୍ପାଦକ ସମ୍ବିତ ନାଏକ, ଯୁଗ୍ମ ସମ୍ପାଦକ ନନ୍ଦୁ ରୋହିଦାସଙ୍କ ସମେତ ବହୁ ଛାତ୍ର ନେତା ଉପସ୍ଥିତ ଥିଲେ। ଏହା ସହ ରତ୍ନାକର ପ୍ରଧାନ, ସିଆରାମ ଦାସ, ଶାହାରୁଖ ଖାନ, ଆଦର୍ଶ ଗାନ୍ଧୀ, ପ୍ରଭାକର ଓରାମ, ବଳରାମ ପାଣ୍ଡେ, କବି ପ୍ରେମସାଗର ଦେହେରିଆ, ତରଣୀ ସେନବୁଡା, ତେଜରାଜ ଲୁହା, ଚିନ୍ତାମଣି ସାମନ୍ତରା, ସୁମନ୍ତ ଜୟପୁରିୟାଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
ସନ୍ଧ୍ୟା ୫ଟାରେ ଜାତୀୟ ସଙ୍ଗୀତ ଗାନ ପରେ ଅଷ୍ଟମ ଦିନର ଧାରଣା ସ୍ଥଗିତ ରହିଥିଲା। ବୁଧବାର ସକାଳ ୧୦ଟାରୁ ନବମ ଦିନର ରିଲେ ଅନଶନ ପୁଣି ଆରମ୍ଭ ହେବ ବୋଲି ସାମ୍ମୁଖ୍ୟ ପକ୍ଷରୁ ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ