
ଚମ୍ପୁଆ, ୧୫ ସେପ୍ଟେମ୍ବର (ହି.ସ.)- ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ ଇନ୍ଦ୍ରପ୍ରସ୍ଥ ଗ୍ରାମର ମାଧବ ମହାନ୍ତଙ୍କ ପତ୍ନୀ ରଶ୍ମିତା ମହାନ୍ତ।
ସୂଚନା ଅନୁଯାୟୀ, ସ୍ୱାମୀଙ୍କ ସହ ପାରିବାରିକ ମନୋମାଳିନ୍ୟ ଯୋଗୁଁ ରଶ୍ମୀତା ଦୀର୍ଘ ଦୁଇ ବର୍ଷ ହେବ ସ୍ୱାମୀଙ୍କୁ ଛାଡ଼ି ବାପଘର ରାମଚନ୍ଦ୍ରପୁରରେ ରହି ଆସୁଥିଲେ। ତାଙ୍କର ଦୁଇ ସନ୍ତାନ ବାହାରେ ରହୁଥିବା ଜଣାପଡ଼ିଛି। ତେବେ ଗତ ଦୁଇଦିନ ପୂର୍ବେ ସେ ହଠାତ୍ ବାପଘରୁ କେଉଁଆଡ଼େ ଚାଲିଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଗଛରେ ତାଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ବାସିନ୍ଦା ରଶ୍ମିତାଙ୍କ ପରିବାର ଓ ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ। ଖବର ପାଇ ଚମ୍ପୁଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପ୍ରାଥମିକ ଦୃଷ୍ଟିରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta