

ପୁରୀ, ୧୫ ସେପ୍ଟେମ୍ବର (ହି.ସ.)- ମହାନଗର ନିଗମ ଅନ୍ତର୍ଗତ ପର୍ଯ୍ୟଟକ ବହୁଳ ରାସ୍ତା ଝାଡେଶ୍ବରୀ ମନ୍ଦିର ନିକଟରେ ପାଣି ଦୀର୍ଘ ୧୫ ଦିନ ଧରି ଜମି ରହୁଥିଲେ ମଧ୍ୟ ନିଷ୍କାସିତ ହୋଇପାରୁ ନାହିଁ । ଭିଆଇପି ରୋଡ ଝାଡେଶ୍ବରୀ ମନ୍ଦିର ପୋଲିସ ଲାଇନ ଦେଇ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ଡ୍ରେନେଜ ବ୍ଯବସ୍ଥା ନଥିବା ଯୋଗୁ ଏଭଳି ଅକଥନୀୟ ଅବସ୍ଥା ପଥଚାରୀ ଓ ପର୍ଯ୍ୟଟକ ଭୋଗୁଛନ୍ତି । ଝାଡେଶ୍ବରୀ ମନ୍ଦିରକୁ ପଙ୍କ କାଦୁଅ ପାଣି ଚକଟି ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଉଛନ୍ତି। ଟ୍ରେନରେ ଆସୁଥିବା ପର୍ଯ୍ୟଟକ ମାନେ ସେହି ରାସ୍ତା ଦେଇ ଆସୁଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ପୁରୀ ପୌରସଂସ୍ଥା ମହାନଗର ନିଗମ ହୋଇଥିବା ବେଳେ କେବଳ ସାଇନବୋର୍ଡରେ ରହିଯାଇଛି । ସେହି ରାସ୍ତାଟି ଅର୍ଦ୍ଧ ଚନ୍ଦ୍ର ହୋଇ ରହିଥିବାରୁ ପାଣି ଜମି ରହୁଛି । ମାସକ ତଳେ ଗୋଡି ବାଡ଼ିଆ ପିଚୁ ହୋଇଥିଲେ ମଧ୍ୟ ରାସ୍ତା ସମତୁଲ କରାଯାଇନାହିଁ । ପୁରୀର ବିକାଶ କରାଯାଉଛି ବୋଲି ଡିଣ୍ଡିମ ବାଜୁଥିବା ବେଳେ ପ୍ରକୃତପକ୍ଷେ ଆଖିଦୃଶିଆ କାମ ହୋଇପାରୁନାହିଁ । ରାସ୍ତା ଓସାରିକରଣ ସହ ଡ୍ରେନ କରିବା ପାଇଁ ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ