
ଖୋର୍ଦ୍ଧା, ୧୭ ସେପ୍ଟେମ୍ବର(ହି.ସ.) – ଆଜି ସନ୍ଧ୍ୟାରେ ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ସଦର ମହକୁମା ଗଡଖୋର୍ଦ୍ଧା ରାଧାକୃଷ୍ଣ ମନ୍ଦିର ପରିସରରେ ଶକ୍ତି ଧାରା ଓ ଜିଲ୍ଲା ମିଶନ ଶକ୍ତି ମହାସଂଘ ଏବଂ ରାମ ରହିମ ମିଶନ ଶକ୍ତି ମହାସଂଘ ଆନୁକୂଲ୍ୟରେ ଏକମାସ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଥିବା ସେବା ସଂକଳ୍ପ ଅଭିଯାନ ୨୦୨୬ ଉପଲକ୍ଷେ ଆଜି ପ୍ରଥମ ଦିବସରେ ଆଶୀର୍ବାଦ ର ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାପତି ପଦ୍ମିନୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଆଶୀର୍ବାଦର ଦୀପ ଦାନ କରି ଜିଲ୍ଲାବାସୀ ଓ ସମଗ୍ର ଦେଶବାସୀଙ୍କ ମଙ୍ଗଳ କାମନା କରିଥିଲେ। ସେ କହିଥିଲେ ଆଜି ଆଶୀର୍ବାଦର ଦୀପ ସିଖାରେ ସମସ୍ତଙ୍କ ମନରେ ଥିବା ଈର୍ଷା, ଗର୍ବ, ଅହଙ୍କାର ସହ ସମସ୍ତ ଅହଂଭାବ ଏବଂ ବିଯୁକ୍ତାତ୍ମକ ଭାବନା ଦୂର ହୋଇ ସମସ୍ତେ ଭଲ ମଣିଷ ହୋଇ ଜିଲ୍ଲା, ରାଜ୍ୟ ଓ ରାଷ୍ଟ୍ରର ନାମ ଟେକ ରଖନ୍ତୁ। ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷକ, ସୁମତି ତ୍ରିପାଠୀ ଯୋଗଦେଇ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଆଲୋକିତ ହେଉ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ବ୍ଲକ୍ ଉନ୍ନୟନ ଅଧିକାରୀ, ସିଦ୍ଧାର୍ଥ ପଟ୍ଟନାୟକ, ନିର୍ବାହୀ ଅଧିକାରୀ ପୌର ପରିଷଦ, କାବେରୀ ମୁଦୁଲି, ଡିପିସି, ମିଶନ ଶକ୍ତି, ପ୍ରେମଶ୍ରୀ ନାୟକ ଯୋଗ ଦେଇ ସେବା ସଂକଳ୍ପ ଅଭିଯାନ ଆଶୀର୍ବାଦ ର ଦୀପ କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲା ମିଶନ ଶକ୍ତି ମହାସଂଘ ସାଧାରଣ ସମ୍ପାଦକ ଅଞ୍ଜୁମାନ ଆରା ଧନ୍ୟବାଦ ପ୍ରଦାନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ସହସ୍ରାଧିକ ମହିଳା ଆଶୀର୍ବାଦର ଦୀପ ଦାନ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ବେଉରା ରାଧା କୃଷ୍ଣ ଙ୍କୁ ଦର୍ଶନ କରିବା ସହ ନିକଟରେ ଥିବା ଜଗନ୍ନାଥ ମନ୍ଦିରକୁ ଯାଇ ବିଗ୍ରହମାନଙ୍କୁ ଦର୍ଶନ କରିଥିଲେ କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, କାର୍ଯ୍ୟକ୍ରମ ପରିଚାଳିକା ସୌଦାମିନୀ ଦାଶଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ