
ଝାରସୁଗୁଡ଼ା, ୧୭ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ାରେ ସମ୍ପ୍ରତି ଗହଣା ଦୋକାନରେ ହୋଇଥିବା ଚୋରି ଘଟଣାକୁ ନେଇ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଆଇନଶୃଙ୍ଖଳା ସମ୍ପର୍କିତ ମନ୍ତବ୍ୟ ଓ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଝାରସୁଗୁଡ଼ା ଟାଉନ୍ ମଣ୍ଡଳ ବିଜେପି ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ଏହି ଅବସରରେ ଦଳ ପକ୍ଷରୁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଏବଂ ଲଳିତ ସାହୁ ମୃତ୍ୟୁ ମାମଲାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଯାଇଛି। ଟାଉନ୍ ମଣ୍ଡଳ ବିଜେପି ସଭାପତି ବିମଳେନ୍ଦୁ ଭୋଳ କହିଛନ୍ତି ଯେ, ନବ ଦାସ ହତ୍ୟା ପରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଦୀପାଳି ଦାସଙ୍କ ଆଭିମୁଖ୍ୟ କ’ଣ ଥିଲା, ତାହା ସ୍ପଷ୍ଟ କରିବା ଆବଶ୍ୟକ। ନବ ଦାସ ହତ୍ୟାକାଣ୍ଡ ନେଇ ସେତେବେଳେ ନିଜ ଦଳର ସରକାରଙ୍କୁ ଦୀପାଳି ସମାନ ଭାବେ ପ୍ରଶ୍ନ କରିଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ନେଇ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରଶ୍ନ ଉଠିବା ସହ ପୁନଃତଦନ୍ତ ଦାବି ମଧ୍ୟ ହୋଇଥିବା ବେଳେ ପୂର୍ବତନ ତଦନ୍ତ ସମ୍ପର୍କରେ ଦୀପାଳି ଦାସଙ୍କ ନିଜସ୍ବ ମତ କ’ଣ ବୋଲି ଶ୍ରୀ ଭୋଳ ପଚାରିଛନ୍ତି।
ସେହିପରି ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ଉଠାଯାଇଥିବା ପ୍ରଶ୍ନ ଓ ସନ୍ଦେହର ନିରାକରଣ ପାଇଁ ଦୀପାଳି ଦାସ ବିଧାୟିକା ଥିବା ସମୟରେ କି ପଦକ୍ଷେପ ନେଇଥିଲେ ବୋଲି ମଧ୍ୟ ବିଜେପି ପ୍ରଶ୍ନ କରିଛି। ଶ୍ରୀ ଭୋଳ କହିଛନ୍ତି, ଅପରାଧ କୌଣସି ସରକାରଙ୍କ ସମୟରେ ଘଟିଥିଲେ ମଧ୍ୟ ପୀଡ଼ିତଙ୍କୁ ନ୍ୟାୟ ମିଳିବା ଏବଂ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ବର୍ତ୍ତମାନ ଝାରସୁଗୁଡ଼ାରେ ଘଟିଥିବା ଚୋରି ଘଟଣାକୁ ନେଇ ମନ୍ତବ୍ୟ ଦେବା ପୂର୍ବରୁ ପୂର୍ବତନ ଘଟଣାଗୁଡ଼ିକ ସମ୍ପର୍କରେ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଦୀପାଳି ଦାସଙ୍କୁ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ