

କନ୍ଧମାଳ, ୧୮ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଭଣ୍ଡାରର ଇନଚାର୍ଜ ଚିତ୍ତରଞ୍ଜନ ନାୟକ ରକ୍ତ ୟୁନିଟ୍ ପିଛା ରୋଗୀଙ୍କ ଠାରୁ ନେଉଛନ୍ତି ଏକ ହଜାର ଟଙ୍କା ଲେଖାଏଁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର କର୍ମଚାରୀଙ୍କ ନାମରେ ଆସିଛି ଏହିଭଳି ସାଙ୍ଘାତିକ ଅଭିଯୋଗ । ରାଜ୍ୟ ସରକାରଙ୍କ ଦ୍ଵାରା ରୋଗୀଙ୍କୁ ସୁବିଧାରେ ଏବଂ ବିନା ମୂଲ୍ୟରେ ରକ୍ତ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଯାହାଦ୍ବାରା ଗରିବ ଏବଂ ଅସହାୟ ରୋଗୀଙ୍କ ରକ୍ତର ଆବଶ୍ୟକତାକୁ ପୁରଣ ସହଜ ହୋଇପାରିବ ହେଲେ, ବାଲିଗୁଡା ରକ୍ତ ଭଣ୍ଡାରରେ ରୋଗୀଙ୍କୁ ଗୋଟାଏ ୟୁନିଟ ରକ୍ତ ପିଛା, ଏହି ରକ୍ତଭଣ୍ଡାର ଦାୟିତ୍ଵରେ ଥିବା ଏଲ.ଟି. ଚିତ୍ତରଞ୍ଜନ ନାୟକ ନେଉଛନ୍ତି ଏକ ହଜାର ଟଙ୍କା। ଖାଲି ସେତିକି ନୁହେଁ ଯେତେ ୟୁନିଟ୍ ରକ୍ତ ସେତିକି ହଜାର ଟଙ୍କା।
ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସା ଅଧିକାରୀ ଏହା ଜାଣି ମଧ୍ୟ ନିରବ ଦ୍ରଷ୍ଟା । ଏମିତି ଦୀର୍ଘ ବର୍ଷହେଲା ଚାଲିଛି। ଏହି ଏଲ.ଟି. ବାବୁ ଜଣକ ବାଲିଗୁଡ଼ା ରକ୍ତଭଣ୍ଡାରରେ ଆସ୍ଥାନ ଜମାଇ ବସିଛନ୍ତି। ତାଙ୍କୁ ସେଠାରୁ ବଦଳି ହେଉନାହିଁ କି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ବାବୁ ଜଣକ ମଦ୍ୟପାନ କରି ରକ୍ତଭଣ୍ଡାରରେ କାମ କରନ୍ତି। ହେଲେ ରକ୍ତ ଭଣ୍ଡାରରେ ରକ୍ତର ପରୀକ୍ଷା ନିରୀକ୍ଷା କରିବା ଏକ ଗୁରୁତ୍ୱପୂର୍ଣ୍ଣ ଓ ଦାୟିତ୍ଵ ସମ୍ପପର୍ଣ୍ଣ କାର୍ଯ୍ୟ ହୋଇଥିଲେ ହେଁ ଜଣେ ମଦ୍ୟପ କର୍ମଚାରୀଙ୍କ ହାତରେ ରୋଗୀଙ୍କ ଜୀବନ ମରଣ ନିର୍ଭର କରୁଛି। ଏବେ ଏହି ବାବୁ ଜଣକ ଗୋଟିଏ ଦାୟିତ୍ଵ ପୂର୍ଣ୍ଣ ପଦବୀରେ ରହି ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି। ସେ ରକ୍ତ ପାଇଁ ଟଙ୍କା ଲାଞ୍ଚ ନେଉଥିବା ବେଳେ ତା'ର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ସ୍ଥାନରେ ସ୍ବେଛାକୃତ ରକ୍ତଦାନ ଶିବିର ଦ୍ବାରା ରକ୍ତ ସଂଗ୍ରହ ହେଉଥିବା ବେଳେ ବାଲିଗୁଡ଼ା ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁର ସଦସ୍ୟ, ସଦସ୍ୟା ସବୁବେଳେ ରୋଗୀଙ୍କୁ ରକ୍ତଦାନ କରିଆସୁଛନ୍ତି । ଏଭଳି ସ୍ଥିତିରେ ରକ୍ତ ପାଇଁ ଲାଞ୍ଚ ନେବା ଘଟଣା ଜନସାଧାରଣଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛି । ରକ୍ତ ପାଇଁ ଲାଞ୍ଚ ନେଉଥିବା ଲ୍ୟାବ୍ ଟେକ୍ନିସିଆନ୍ ଚିତରଞ୍ଜନ ନାୟକଙ୍କ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ରକ୍ତ ପାଇଁ ସେ ୧ ହଜାର ଟଙ୍କା ନେଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଏବେ ସ୍ବାସ୍ଥ୍ୟ ବିଭାଗର ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ