
-ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଝାରସୁଗୁଡ଼ା, 17 ସେପ୍ଟେମ୍ବର (ହି.ସ.), ଜିଲ୍ଲାରେ ଆଗାମୀ 'ସେବା ସଂକଳ୍ପ ଅଭିଯାନ'କୁ ସଫଳତାର ସହ ଆୟୋଜନ ଓ ପରିଚାଳନା କରିବା ନିମନ୍ତେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ବରିଷ୍ଠ ପଦାଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଜିଲ୍ଲାପାଳ ଶ୍ରୀ ଚହ୍ବାଣ ପ୍ରତ୍ୟେକ ବିଭାଗକୁ ନିଜ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇବା ସହ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଆଜି ମିଶନ ଶକ୍ତି ଦ୍ୱାରା 'ଆଶୀର୍ବାଦର ଦୀପ' କାର୍ଯ୍ୟକ୍ରମ ଅଧୀନରେ ହିତାଧିକାରୀ ଙ୍କ ପରିବାର, ଦୋକାନ, ବଜାର ରେ, ଝlଡ଼େଶ୍ୱର ମନ୍ଦିର ରେ ସାମୁହିକ ଦୀପ ପ୍ରଜ୍ଜ୍ୱଳନ,ସାମୁହିକ ରଙ୍ଗୋଲି ପ୍ରଦର୍ଶନୀ ପାଇଁ ଉତ୍ସାହିତ କରିବା, ସେପ୍ଟେମ୍ବର ୧୮ରୁ ୨୪ ମଧ୍ୟରେ ସ୍କୁଲ ଓ କଲେଜ ସ୍ତରରେ ‘ବିକଶିତ ଭାରତ’ ବିଷୟବସ୍ତୁ ଉପରେ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା ଆୟୋଜନ, ତଥା ୧୭ରୁ ୫ ଅକ୍ଟୋବର ମଧ୍ୟରେ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ଅକ୍ଟୋବର ୨ ତାରିଖରେ 'ସେବା ଜ୍ୟୋତି ଯାତ୍ରା' ଓ ରଙ୍ଗୋଲି ପ୍ରତିଯୋଗିତା, ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୨ ମଧ୍ୟରେ ‘ରାଷ୍ଟ୍ରୀୟ ନବ-ଉନ୍ମେଷ ଅଭିଯାନ’ ଏବଂ ବ୍ଲକ ସ୍ତରରେ ‘ସେବା ସେତୁ ଅଭିଯାନ’ ଶିବିର ମାଧ୍ୟମରେ ସରକାରୀ ସେବା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି।
ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ସୋରେଙ୍ଗ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଏବଂ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ଥିଲେ। ଏଥିସହିତ ଜିଲ୍ଲା ମିଶନ ଶକ୍ତି ସଂଯୋଜକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ,ଅଧୀକ୍ଷଣ ଯନ୍ତ୍ରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡେପୁଟି ସିଇଓ ଓରମାସ, ସମସ୍ତ ବିଡ଼ିଓ, ସିଡିପିଓ, ଇଓ ପ୍ରମୁଖ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଠିକ୍ ସମୟରେ, ନିଷ୍ଠାର ସହ ସଫଳ କରିବାକୁ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ଏହି ବୈଠକ କୁ ଡି ପି ସି, ମିଶନଶକ୍ତି ଡ଼. ପୁଷ୍ପଶ୍ରୀ ନାୟକ ପରିଚାଳନା କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ