
ଜୟପୁର, ୧୭ ସେପ୍ଟେମ୍ବର (ହି.ସ.) - ଯେଉଁ ବୟସରେ ଖେଳକୁଦ ସାଙ୍ଗସାଥି ଙ୍କ ଗହଣରେ କଟିବା କଥା ସେହି ବୟସରେ ଏବେ ରୋଗରେ ପିଡ଼ିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜଣେ ଭେଣ୍ଡିଆ ପୁଅ । ପୁଅର ଏପରି ଅବସ୍ଥାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ବାପା ମା । ଦୈନିକ କୁଲି ମଜୁରୀ କରି ଜୀବନ ଅତିବାହିତ କରୁଥିବା ଏହି ଗରିବ ପରିବାରରେ ଗୋଟିଏ ବୋଲି ଭେଣ୍ଡିଆ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଦୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ସଦର ପଂଚାୟତରେ । ଗାଁରେ ବସବାସ କରୁଥିବା ବୁଟି ଦିଶାରୀ ଓ ବିକିନି ଦିଶାରୀ ଙ୍କ ଏକମାତ୍ର ପୁଅ ମୁନା ଦିଶାରୀ(୧୭) । ପରିବାରର ସୂଚନା ମୁତାବକ ମୁନା କୁ ୧୪ ହେବା ପର୍ଯ୍ୟନ୍ତ ଏମିତି କିଛି ସଂକେତ ଦେଖାଯାଇନଥିଲା । ୧୪ ବର୍ଷ ପରେ ବାମପାର୍ଶ୍ୱ ଜଙ୍ଘର ମାଂସପେଶୀରେ ଏକ ଛୋଟ ଗୁଳା ହୋଇଥିଲା ବାପା ମା ଜାଣିବାପରେ ଏହା ବଥ କି ଅନ୍ୟ କିଛି ହୋଇଥିବ ଭାବି ଦେଶୀ ମେଡ଼ିସିନ କରିଥିଲେ ଏବଂ ପରବର୍ତୀ ମୁହୂର୍ତରେ ମୁନାଙ୍କ ବୟସ ବଢ଼ିବା ସାଙ୍ଗକୁ ମାଂସ ପିଣ୍ଡୁଳା ବଢ଼ି ବଢ଼ି ଚାଲିଲା ତେଣୁ ପରିବାର ଲୋକେ ଦୁଇ ଦୁଇ ଥର କୋରାପୁଟ ସହୀଦଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କୁ ଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ ବୋଲି ମୁନା ଙ୍କ ମା କହିଛନ୍ତି । ମୁନାଙ୍କ ଆୟୁଷ୍ମାନ କାର୍ଡ଼ ରହିଛି ହେଲେ ସେଥିରେ ନାମ ଭୁଲ ରହିଛି ମୁନା ବଦଳରେ ସୁନା ହୋଇଥିବାରୁ ଏହା ମଧ୍ୟ ପରିସ୍ଥିତିକୁ ଜଟିଳ କରିଦେଇଛି । ନିଜ ଶରୀରର ରୋଗକୁ ଚିକିତ୍ସା କରାଇବାକୁ ଅର୍ଥ ଆବଶ୍ୟକ ଥିବାରୁ ମୁନା ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିଲେ କିନ୍ତୁ କଷ୍ଟସାଧ୍ୟ କାମ ନ କରି ଘରକୁ ଫେରିଆସିଥିବାବେଳେ ନିଜର ଆଧାର କାର୍ଡ଼ ମଧ୍ୟ ହଜିଯାଇଥିବା ମୁନା କହିଛନ୍ତି । ବର୍ତମାନ ମୁନା ଗାଁରେ ରହିବା ସହ ଏକ ବାଡ଼ିଧରି ଘରକୁ ଦାଣ୍ଡକୁ ବାହାରୁଥିବା ଦେଖିବାକୁ ମିଳିଛି । ଯନ୍ତ୍ରଣା ସାଙ୍ଗକୁ ଶୌଚହେବା ପୁଣି ସର୍ବଦା ଗୋଡ଼କୁ ସଳଖ ରଖିବା ଭଳି ଅନେକ କଷ୍ଟ ଅନୁଭବ କରୁଥିବା ସେ କହିଛନ୍ତି ।
ଦେଶିଆ ପରମ୍ପରା ଅନୁଯାଇ ଗୋଟିଏ ବୋଲି ପୁଅକୁ ବିବାହ ବନ୍ଧନରେ ବାନ୍ଧିଦେଇ ନାତି ନାତୁଣୀ ଓ ବୋହୁକୁ ଚାହିଁ ଶେଷ ସମୟ କାଟିବାକୁ ବାପା ମା ଚିନ୍ତା କରୁଥିବା ବେଳେ ମୁନାର ଅବସ୍ଥା ଦେଖି କିଏ ମଧ୍ୟ ପସନ୍ଦ କରୁନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପୁଣି ଏହି ଭଳି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆର୍ôଥକ ସମସ୍ୟାରେ ଛନ୍ଦି ହୋଇ ଘରେ ପଡ଼ି ରହିଥିବା ମୁନା ଦିଶାରୀଙ୍କୁ ପ୍ରଶାସନ ଦୃଷ୍ଟି ଦେଇ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ପାଇ ସାଧାରଣ ରେ ମତ ପ୍ରକାଶ ପାଇଛି । ତୁରନ୍ତ ପ୍ରଶାସନ ପହଂଚି ସହାୟତାର ହାତ ବଢାଇବାକୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି